ଚେନ୍ନାଇରେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବବାହକ ଗାଡ଼ି ଅଟକ

ଚାନ୍ଦବାଲି, ୨୫।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତି ପଞ୍ଚାୟତ ନୂଆଗଁାର ଜଳଧର ଦାସ(୫୨) ଚେନ୍ନାଇରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦ ତାରିଖରେ କମ୍ପାନୀ ପରିସରରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ମୃତଦେହ ନେଇ ଏହି ଗଁାକୁ ଆସିଥିବା ଶବବାହକ ଗାଡ଼ିକୁ ଜଳଧରଙ୍କ ପରିବାର ଲୋକଙ୍କ ସହ ଗଁା ଲୋକେ ଅଟକ ରଖିଥିଲେ।

ସୂଚନା ଅନୁସାରେ, କମ୍ପାନୀ ଓ ଠିକାଦାରଙ୍କ ସହଯୋଗରେ ଜଳଧରଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇରୁ ତାଙ୍କ ଗଁାକୁ ଅଣାଯାଇଥିଲା। ବୁଧବାର ସକାଳେ ଗଁାରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ଜଳଧରଙ୍କୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଅଭିଯୋଗ କରିଥିଲେ। କମ୍ପାନୀ ପକ୍ଷରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସେମାନେ ଦାବି କରିଥିଲେ। ଫଳରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ଓ ମୃତଦେହ ନେଇ ଆସିଥିବା ଠିକାଦରଙ୍କ ଜଣେ କର୍ମଚାରୀଙ୍କୁ ଗଁା ଲୋକେ ଗାଡ଼ି ସହ ଅଟକ ରଖିଥିଲେ। ଶବ ଦାହ ନ କରି କମ୍ପାନୀର ଠିକାଦାର ଗଁାକୁ ଆସିବାକୁ ସେମାନେ ଅଡ଼ି ବସିଥିଲେ। ଖବର ପାଇ ଚାନ୍ଦବାଲି ଥାନାଧିକାରୀ ତାପସ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀ ଓ ମୃତକଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ଏହା ଏକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଓ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ମିଳିବ ବୋଲି କୁହାଯିବା ପରେ ଅପରାହ୍ନରେ ଲୋକେ ଆମ୍ବୁଲାନ୍ସକୁ ଛାଡ଼ିଥିଲେ।