Categories: ଜାତୀୟ

ଚେନ୍ନାଇ କନେକ୍ଟରୁ ଭାରତ-ଚାଇନା ସହଯୋଗର ନୂଆ ଯୁଗ: ଉଠିଲାନି କଶ୍ମୀର ପ୍ରସଙ୍ଗ

ମାମଲ୍ଲାପୁରମ୍‌,୧୩ା୧୦ (ପି.ଟି./ ଆଇଏଏନ୍‌ଏସ୍‌): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ପର୍ଯ୍ୟାୟକ୍ରମେ ୬ ଘଣ୍ଟା ଧରି ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ପଡ଼ୋଶୀ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ ବୋଲି ଶନିବାର ଆଶାବ୍ୟକ୍ତ କରିଛନ୍ତି। ଏଥିସହିତ ‘ଚେନ୍ନାଇ କନେକ୍ଟ’ ଭାରତ ଓ ଚାଇନା ମଧ୍ୟରେ ସହଯୋଗର ନୂଆ ସମ୍ପର୍କ ଆରମ୍ଭ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତାମିଲନାଡ଼ୁର ମାମଲ୍ଲାପୁରମ୍‌ ସହରରେ ଦୁଇଦିନିଆ ଅନୌପଚାରିକ ଆଲୋଚନା ଶେଷହେବା ପରେ ଜିନ୍‌ପିଙ୍ଗ୍‌ ନେପାଳ ଅଭିମୁଖେ ଯାତ୍ରା କରିଛନ୍ତି। ଦୁଇନେତାଙ୍କ ମଧ୍ୟରେ ବାଣିଜ୍ୟ, ଅର୍ଥନୀତି, ସଂସ୍କୃତି ଓ ଆତଙ୍କବାଦ ଭଳି ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ତେବେ କଶ୍ମୀର ପ୍ରସଙ୍ଗ ଏଥିରେ ସ୍ଥାନ ପାଇନାହିଁ। ‘କଶ୍ମୀର’ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ଏନେଇ ଆଲୋଚନା ହୋଇ ନ ଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ଥର ଆଲୋଚନା ହୋଇଛି। କୋଭାଲମ୍‌ସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲରେ ପ୍ରତିନିଧିସ୍ତରୀୟ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ବିଗତ ୨୦୦୦ ବର୍ଷ ଧରି ବିଶ୍ୱ ଅର୍ଥନୀତିର ଶକ୍ତି ପାଲଟିଥିବା ଭାରତ ଓ ଚାଇନା ପୁଣି ସେହି ସ୍ଥାନକୁ ଫେରିବାରେ ଲାଗିଛନ୍ତି। ଗତବର୍ଷ ଏପ୍ରିଲ ୨୭-୨୮ରେ ଉହାନରେ ହୋଇଥିବା ପ୍ରଥମ ଅନୌପଚାରିକ ଆଲୋଚନାର ଆବେଗ ଆମ ସମ୍ପର୍କକୁ ଏକ ନୂଆ ଗତି ପ୍ରଦାନ କରିଛି। ଦୁଇଦେଶ ମଧ୍ୟରେ ରହିଥିବା ମତଭେଦକୁ ବିବାଦରେ ପରିଣତ ହେବାକୁ ନ ଦେବା ଏବଂ ପାରସ୍ପରିକ ସ୍ବାର୍ଥକୁ ସମ୍ମାନ ଦେବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ। ଏବେ ‘ଚେନ୍ନାଇ କନେକ୍ଟ’ ସହଯୋଗର ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି ମୋଦି କହିଥିଲେ। ଏହା ପୂର୍ବରୁ ତାଜ୍‌ ଫିଶରମ୍ୟାନ୍‌ସ କୋଭ୍‌ ରିସର୍ଟରେ ଦୁଇନେତାଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ବ୍ୟକ୍ତିଗତ ଆଲୋଚନା ହୋଇଥିଲା। ସମୁଦ୍ର ଉପକୂଳର ମନଲୋଭା ଦୃଶ୍ୟକୁ ଉପଭୋଗ କରି ଉଭୟେ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଥିଲେ। ଜିନ୍‌ପିଙ୍ଗ୍‌ଙ୍କ ଚିତ୍ର ଥିବା ଏକ ହାତବୁଣା ସିଲ୍କ କପଡ଼ା ମୋଦି ତାଙ୍କୁ ଉପହାର ଦେଇଥିଲେ। ଜିନ୍‌ପିଙ୍ଗ୍‌ ମଧ୍ୟ ମୋଦିଙ୍କ ଫଟୋ ଥିବା ଚିନାମାଟିର ପାତ୍ର ତାଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବେଜିଂ ଗସ୍ତ ବେଳେ ତାଙ୍କ ସହ ଆଲୋଚନା ହୋଇଥିବା ନେଇ ଜିନ୍‌ପିଙ୍ଗ୍‌ ମୋଦିଙ୍କୁ ଅବଗତ କରାଇଥିଲେ। ଭାରତର ଆତିଥ୍ୟରେ ଅଭିଭୂତ ହୋଇଥିବା ଜିନ୍‌ପିଙ୍ଗ୍‌ ପ୍ରଧାନମନ୍ତ୍ରୀଙ୍କୁ ତୃତୀୟ ପର୍ଯ୍ୟାୟ ଅନୌପଚାରିକ ଆଲୋଚନା ପାଇଁ ଚାଇନାକୁ ଆମନ୍ତ୍ରଣ କରିଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ନିମନ୍ତ୍ରଣକୁ ମୋଦି ଗ୍ରହଣ କରିଥିବା ବହିର୍ବ୍ୟାପାର ସଚିବ ବିଜୟ ଗୋଖଲେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

Share