Categories: ଖେଳ

ଚେନ୍ନାଇ ଛାଡ଼ିଲେ ଧୋନୀ

ଚେନ୍ନାଇ, ୧୫।୩- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିଲା। କିନ୍ତୁ ମାରାତ୍ମକ କରୋନା ଭାଇରସ୍‌ ଲାଗି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଫଳରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଘରକୁ ଫେରିଯାଇଛନ୍ତି। ବିଶ୍ୱକପ୍‌ ପରଠାରୁ କ୍ରିକେଟ୍‌ରୁ ଦୂରେଇ ରହିଥିବା ଧୋନୀ ଆଇପିଏଲ୍‌ ପ୍ରସ୍ତୁତି ଲାଗି କିଛିଦିନ ହେବ ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଜୋରଦାର୍‌ ଅଭ୍ୟାସ ଚଳାଇଥିଲେ। ଫ୍ରାଞ୍ଚାଇଜ୍‌ ଏହାର ଟୁଇଟର୍‌ ପୃଷ୍ଠାରେ ଏକ ଭିଡିଓ ଶେୟାର କରିଛି। ଯେଉଁଥିରେ ଧୋନୀ ଚେନ୍ନାଇ ଜର୍ସି ପରିଧାନ କରି ଛୋଟ ପିଲାଙ୍କୁ ଅଟୋଗ୍ରାଫ୍‌ ଦେବା ସହିତ ପ୍ରଶଂସକଙ୍କ ସହ ବାର୍ତ୍ତାଳପ କରୁଥିବାରୁ ଦେଖିବାକୁ ମିଳିଛି। ପ୍ରଶଂସକମାନେ ମଧ୍ୟ ଏଥିରେ କମେଣ୍ଟ୍ସ ଲେଖି ଧୋନୀଙ୍କୁ ନିଜର ଭଲପାଇବା ଜଣାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଧୋନୀଙ୍କ ପାଇଁ ଭଲପାଇବା କଦାପି କମିବ ନାହିଁ’। ବିସିସିଆଇ ପକ୍ଷରୁ ନୂଆ ଆଇପିଏଲ୍‌ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ଧୋନୀ ଚେନ୍ନାଇ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Share