Categories: ଖେଳ

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ ଏହି ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ସୁପର୍‌ କିଙ୍ଗ୍ସ ପ୍ଲେ-ଅଫ୍‌ରେ ପ୍ରବେଶ ଲାଗି ଆବଶ୍ୟକ ୧୬ ପଏଣ୍ଟ ହାସଲ କରିସାରିଛି। କିନ୍ତୁ ଘରୋଇ ଦଳ ଏହି ମ୍ୟାଚ୍‌ ଜିତି ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ରହିଛି।

୨ଟି ପରାଜୟ ପରେ ଧୋନୀ ବାହିନୀ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୬ ଉଇକେଟ୍‌ରେ ପରାସ୍ତ କରି ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି। ଏହି ମ୍ୟାଚ୍‌ରେ ଭେଟେରାନ ଅଷ୍ଟ୍ରେଲୀୟ ଖେଳାଳି ଶେନ୍‌ ଓ୍ବାଟ୍‌ସନ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଚେନ୍ନାଇ ବିଜୟରେ ନାୟକ ସାଜିଥିଲେ। ଫଳରେ ଚଳିତ ସିଜନରେ କ୍ରମାଗତ ବିଫଳ ହୋଇଆସୁଥିବା ଓ୍ବାଟ୍‌ସନ ଶେଷରେ ଫର୍ମକୁ ଫେରିବା ଟିମ୍‌ ମ୍ୟାନେଜ୍‌ମେଣ୍ଟ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ମଧ୍ୟକ୍ରମରେ ଅଭିଜ୍ଞ ସୁରେଶ ରାଇନା, ଅମ୍ବାତି ରାୟୁଡୁ ଓ କେଦାର ଯାଦବ ବର୍ତ୍ତମାନ ସୁଦ୍ଧା ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି, ଯାହା ଅଧିନାୟକ ଧୋନୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷରେ ଦୀପକ ଚହର, ଇମ୍ରାନ ତାହିର, ରବୀନ୍ଦ୍ର ଜାଡେଜା ଓ ହରଭଜନ ସିଂଙ୍କୁ ନେଇ ଚେନ୍ନାଇ ବୋଲିଂ ବିଭାଗ ସିଜନରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଛି। ବିଶେଷକରି ଘରୋଇ ସ୍ପିନ୍‌ ଟ୍ରାକ୍‌ରେ ଏମାନେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇ ସାରିଛନ୍ତି।

ଭ୍ରମଣକାରୀ ମୁମ୍ବାଇ ବର୍ତ୍ତମାନ ସୁଦ୍ଧା ୧୦ ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ହାସଲ କରି ତାଲିକାର ୩ୟ ସ୍ଥାନରେ ରହିଛି। ପ୍ଲେ-ଅଫ୍‌ ଦୌଡ଼ରେ ରହିଥିବା ରୋହିତ୍‌ ଶର୍ମାଙ୍କ ଦଳ ଏହାର ଶେଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜୟ ବରଣ କରିଥିଲା। ଅଧିନାୟକ ରୋହିତ୍‌ଙ୍କ ସମେତ କ୍ୱିଣ୍ଟନ ଡି କକ୍‌, କିରନ ପୋଲାର୍ଡ ଏବଂ ପାଣ୍ଡ୍ୟା ବ୍ରଦର୍ସ ହାର୍ଦ୍ଦିକ ଓ କ୍ରୁନାଲଙ୍କୁ ନେଇ ମୁମ୍ବାଇର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଶକ୍ତିଶାଳୀ ରହିଛି। ତେଣୁ ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Share