Categories: ବାଣିଜ୍ୟ

ଚୋକ୍‌ସିଙ୍କୁ ଦିଆଯିିବ ଏୟାର ଆମ୍ବୁଲାନ୍ସ ସହାୟତା

ନୂଆଦିଲ୍ଲୀ,୨୩-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶନିବାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଚୋକ୍‌ସିଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠର ଜବାବ ଦେଇଛି ଇଡି। ଏଥିରେ ଦର୍ଶାଯାଇଛି ଯେ, ହୀରା ବ୍ୟବସାୟୀଙ୍କୁ ଆଣ୍ଟିଗୁଆରୁ ଭାରତ ଆଣିବା ଲାଗି ଇଡି ପକ୍ଷରୁ ଏକ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ। ଏଥିସହ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ଏକ ଦଳ ଏହି ଆମ୍ବୁଲାନ୍ସରେ ଯିବା ଆସିବା କରିବେ। ଭାରତରେ ଚୋକ୍‌ସିଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଇଡି ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ହୀରା ବ୍ୟବସାୟୀ ଅଦାଲତକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି। ସେ ଆଇନ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ଚାହୁଁଥିବା ଏଥିରୁ ସ୍ପଷ୍ଟ ହୋଇଛି। ଇଡି କହିଛି ଯେ, ମେହୁଲଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବାକୁ ଅନେକଥର ସୁଯୋଗ ଦିଆଯାଇଥିଲା, କିନ୍ତୁ ସେ ସହଯୋଗ କରି ନଥିଲେ। ତାଙ୍କର ୬୧୨୯ କୋଟି ଟଙ୍କାର ବାଜ୍ୟାପ୍ତ କରାଯାଇଛି ବୋଲି ଚୋକ୍‌ସି ଦାବି କରିଥିବା ବେଳେ ଇଡି ଏହାକୁ ଖଣ୍ଡନ କରିଛି। ଯାଞ୍ଚ ବେଳେ ୨୧୦୦ କୋଟି ଟଙ୍କାର ସମ୍ପତ୍ତି କେବଳ ଜବତ ହୋଇଛି ବୋଲି ଇଡି ସତ୍ୟପାଠରେ ଦର୍ଶାଇଛି। ଭାରତରୁ ପଳାୟନ ପୂର୍ବରୁ ସେ ସମସ୍ତ ସମ୍ପତ୍ତି ବିକ୍ରି କରିବାକୁ ଉଦ୍ୟମ କରିଥିଲେ ବୋଲି କୁହାଯାଇଛି। ଉଲ୍ଲେଖଥାଉ କି, ପିଏନ୍‌ବି ମାମଲାରେ ଅସୁସ୍ଥତା କାରଣରୁ ସେ ଭାରତ ଫେରିପାରିବେ ନାହିଁ ବୋଲି ଚୋକ୍‌ସି ସତ୍ୟପାଠରେ ଦର୍ଶାଇଥିଲେ। ସିବିଆଇ, ଇଡି ଚାହିଁଲେ ସେମାନେ ଆଣ୍ଟିଗୁଆରେ ପହଞ୍ଚତ୍ ତାଙ୍କୁ ଜେରା କରିପାରିବେ ବୋଲି ସେ କହିଥିଲେ।

Share