ଚୋରାକାଠ କାରଖାନାରେ ଚଢ଼ାଉ

ବାରିପଦା ଅଫିସ, ୩।୨-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାଗଦିଆ ଗଉଡଡିଆଠାରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ସେଠାରେ କାଠ ମିସ୍ତ୍ରୀ ଥିବା ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଛି। ତାଙ୍କ ନାମ ଚାନ୍ଦ ମହମ୍ମଦ ମଲ୍ଲିକ ହୋଇଥିବା ବେଳେ ଘର ମୁର୍ଶିଦାବାଦରେ ବୋଲି ଜଣାପଡ଼ିଛି। ବାଗଦିଆଠାରେ ଏକ ଅବ୍ୟବହୃତ କୁକୁଡ଼ା ଫାର୍ମ ଥିବା ବେଳେ ଏହା ପଛପଟେ ଚୋରାରେ କାଠ କାରଖାନା କରାଯାଇଥିଲା। ଏହି କାରଖାନାରେ ଚୋରାରେ କାଠ କଟାଯାଇ ଏହାକୁ ବିଭିନ୍ନ ଆସବାବପତ୍ର କରି ବିକ୍ରି କରାଯାଏ। ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ରବିବାର ଅପରାହ୍ନରେ ସେଠାରେ ଚଢ଼ାଉ କରିଥିଲା। ଶାଳ, ପିଆଶାଳ, ଶାଗୁଆନ ଆଦି ୧୫୦ରୁ ଊର୍ଦ୍ଧ୍ୱ ଲଗକୁ ଜବତ କରାଯାଇଥିଲା। କାଠର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।