ଚୋରାଚାଲାଣ ବେଳେ ଆଳୁ ଟ୍ରକ୍‌ ଜବତ: ୨ ଗିରଫ

ମାଲକାନଗିରି,୨୮ା୩(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ର ସୁଯୋଗ ନେଇ ଆଳୁ କଳାବଜାର କରାଯାଉଥିବାବେଳେ ଖାଉଟି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିିତିରେ ନ୍ୟସ୍ତସ୍ବାର୍ଥ ବ୍ୟବସାୟୀ ଆଳୁ ଅନ୍ୟତ୍ର ଚାଲାଣ କରିବା ସମୟରେ ପୋଲିସ ଓ ପ୍ରଶାସନ ଦ୍ୱାରା ଧରାପଡ଼ିଛନ୍ତି। ଶୁକବ୍ରାର ମଧ୍ୟରାତ୍ରରେ ଉପଜିଲାପାଳ ରାମେଶ୍ୱର ପ୍ରଧାନ, ତହସିଲଦାର ଡ. ଗୁଣନିଧି ନାୟକ ଓ ଜିଲା ସଦର ଥାନା ଆଇଆଇସି ରାମପ୍ରସାଦ ନାଗ ପାଟ୍ରୋଲିଂ କରିବା ସମୟରେ ରିକ୍ଲାମେସନ କଲୋନୀଠାରେ ଏକ ୪୦୭ ଟ୍ରକ୍‌ (ଓଆର୍‌ ୧୦ଏଫ୍‌-୬୯୬୪)କୁ ଅଟକାଇ ଯାଞ୍ଚ କରିଥିଲେ। ଗାଡ଼ିରେ ଆଳୁ ବୋଝେଇ ହୋଇଥିବା ଏବଂ ଏହା ଅନ୍ୟତ୍ର ଚୋରାଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ଟ୍ରକ୍‌ ଜବତ କରାଯିବା ସହ ଆଳୁ ଯୋଗାଣ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ଆଳୁ ହୋଲସେଲର୍‌ ହରିପଦ ସରକାର ଓ ଟ୍ରକ୍‌ ଚାଳକ ଚିରଞ୍ଜୀବ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏପରିକି ଏକ ଘରୋଇ ଆମ୍ବୁଲାନ୍ସରେ ମଧ୍ୟ ଆଳୁ ଚାଲାଣ ହେଉଥିବାବେଳେ ଚାଳକ ପୋଲିସକୁ ଦେଖି ଖସି ଚାଲିଯିବାକୁ ଉଦ୍ୟମ କରୁଥିଲେ। ଉକ୍ତ ଆମ୍ବୁଲାନ୍ସକୁ ମଧ୍ୟ ଠାବ କରାଯାଇଥିବାବେଳେ ଆମ୍ବୁଲାନ୍ସର ମାଲିକ ଏବଂ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ମନୀଷ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।