ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଭଦ୍ରକ ଅଫିସ, ୨୦।୫- ଗଁାରେ ବେଆଇନ ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଖଣ୍ଡିଆବଜାରର ଶତାଧିକ ଆଦିବାସୀ ମହିଳା ସୋମବାର ଏସ୍‌ପିଙ୍କ ନିକଟରେ ପହଞ୍ଚି ଚୋରାମଦ ବିକ୍ରି ସମ୍ପର୍କରେ ଅଭିଯୋଗ ଜଣାଇଛନ୍ତି। ଗଁାରେ କିଭଳି ଏହି ବ୍ୟବସାୟୀମାନେ ଅରାଜକତା ଚଳାଇ ଆସିବା ସହ ଚୋରାରେ ମଦ ଆଣି ବେଆଇନ ଭାବେ ବିକ୍ରିକରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି, ସେନେଇ ଅଭିଯୋଗ କରିଛନ୍ତି। ଏହି ମହିଳାମାନେ ପୂର୍ବରୁ ଅବକାରୀ କାର୍ଯ୍ୟାଳୟ ଓ ଥାନାରେ ବହୁବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିମ୍ବା ଅବକାରୀ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସେମାନେ ଦର୍ଶାଇଥିଲେ। ଓଲଟି ମଦ ବ୍ୟବସାୟୀମାନେ ଗ୍ରାମବାସୀଙ୍କୁ ଧମକ ଦେଉଛନ୍ତି। ଏପରି କି ମଦ ମାଫିଆମାନେ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଇନଜୀବୀ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଆସିଥିବା ମହିଳାମାନେ ଦାବି କରିଛନ୍ତି।