ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସି ଜବତ, ୨ ଗିରଫ

ବଇଣ୍ଡା,୧୮।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ଆଠମଲିକ ବ୍ଲକ ଠାକୁରଗଡ଼ ଥାନା ଶିଣ୍ଡୋଳ ଗ୍ରାମରେ ରବିବାର ଏକ ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସିକୁ ଧଣ୍ଡାତୋପା ବନ ବିଭାଗ ଜବତ କରିଛି। ସେଥିରୁ ୧୦ କ୍ୱିଣ୍ଟାଲ କେନ୍ଦୁପତ୍ର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଗାଡ଼ିର ଡ୍ରାଇଭର ଆଠମଲିକ ଥାନା ଟାଇଁସର ଗ୍ରାମର ରଞ୍ଜନ ମହାକୁଡ଼ (୨୫) ଓ ତେଲିନଈ ଗ୍ରାମର ବ୍ୟବସାୟୀ କମଳ ପ୍ରଧାନ(୨୨)ଙ୍କୁ ଗିରଫ କରାଯାଇଛି। ଘଟଣାରୁ ଜଣାପଡ଼ିଛି ଯେ, ଓଡି -୧୯- ଏନ୍‌- ୦୬୪୧ ଟାଟାଏସି ଗାଡ଼ିରେ ମାଧପୁର ଅଞ୍ଚଳରୁ ଅନୁଗୋଳ ଅଭିମୁଖେ ଚୋରା କେନ୍ଦୁପତ୍ର ବୋଝେଇ ହୋଇ ଯାଉଥିବା କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଆଠମଲିକ ଡିଏଫ୍‌ଓ ସମ୍ୟକ୍‌ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ, ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ଶାନ୍ତନୁ କୁମାର ଦେହୁରୀ, ଓ୍ବାଚର ପ୍ରଦୀପ କୁମାର ଦେହୁରୀ, ସନ୍ତୋଷ କୁମାର ବାଘ, କମଳ ଲୋଚନ ନାୟକ ପ୍ରମୁଖ ଚଢ଼ାଉ କରିଥିଲେ। ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆଠମଲିକ କୋର୍ଟକୁ ଚାଲାଣ କରାଯାଇଛି।