ଚୋରା ଚାଲାଣ ବେଳେ ବନ ବିଭାଗର ଚଢ଼ାଉ: କଲରାପତରିଆ ବାଘ ଚମଡ଼ା ଜବତ, ୬ ଗିରଫ

ଦେବଗଡ,୨୪।୯(ଡି.ଏନ୍‌.ଏ): କଲରାପରତରିଆ ବାଘ ଚମଡ଼ା ଚୋରାଚାଲାଣ ବେଳେ ଦେବଗଡ଼ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯିବା ସହ ବାଘଛାଲ ଓ ଚୋରା ଚାଲାଣରେ ବ୍ୟବହୃତ ଏକ ବୋଲେରୋ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ ଜିଲା ବାରକୋଟ ଥାନାଞ୍ଚଳର ଶନାତନ ଲୁହୁରା(୧୯), ତିଲେଇବଣି ବ୍ଲକ ଅଧିନ ପାଳକୁଦର ଗ୍ରାମର ଦେବେନ୍ଦ୍ର ରଣଚୁଳିଆ(୨୭), ଦେବଗଡ ଥାନା ଅଧିନ ପଳସାକୁଦର ଗ୍ରାମର ବିମ୍ବାଧର ଉଦାବର(୪୦) ଓ ରାଜେଶ ବେହେରା(୩୦), ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିର ନିତେଶ ଇନ୍ଦୁଆର(୨୭)। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ସୁନ୍ଦରଗଡ ଜିଲା ବଣାଇ ଅଞ୍ଚଳର ରାନୁ ବେହେରା ଓ ଦେବଗଡ ଥାନା ଅଧୀନ ବଳମ ଗ୍ରାମର ସୁଶାନ୍ତ କୁଲୁ(୩୦)ଙ୍କୁ ମଧ୍ୟ ବନ ବିଭାଗ ଅଟକରଖି ପଚରାଉଚରା ଜାରି ରଖିଛି ।
ସୂଚନାଯୋଗ୍ୟ, ଜିଲା ଟିକାୟତପାଲି ଥାନାଞ୍ଚଳରୁ କଲରାପତରିଆ ବାଘ ଚମଡ଼ାକୁ ଏକ ବୋଲେରୋ ଯୋଗେ ସମ୍ବଲପୁର ଅଞ୍ଚଳକୁ ଚୋରା ଚାଲଣ କରାଯାଉଥିଲା। ଖବର ପାଇ ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ଟିମ୍‌ ଦେବଗଡ଼ ଥାନା ଅଧିନ ଚଟି ବରଘାଟ ନିକଟସ୍ଥ ରାଜପଥରେ ଯାଞ୍ଚ କରିଥିଲା। ତେବେ ଏକ ବୋଲେରୋରୁ ୧.୫ ମିଟର ଲମ୍ବର ଏକ କଲରାପତରିଆ ବାଘଛାଲ ମିଳିଥିଲା। ଫଳରେ ବନ ବିଭାଗ କର୍ତୃପକ୍ଷ ଗାଡ଼ିଚାଳକଙ୍କ ସମେତ ଗାଡିରେ ଥିବା ୬ ଜଣଙ୍କୁ ଗିରଫ କରିବାସହ ଗାଡ଼ିକୁ ଜବତ କରି ବିଭାଗୀୟ କାର୍ଯ୍ୟାଳୟକୁ ଆଣିଥିଲେ ା ପଚରା ଉଚରା ସମୟରେ ସେମାନେ ଏହାକୁ ବିକ୍ରି ପାଇଁ ସମ୍ବଲପୁର ଜିଲାର ରେମେଡ ଅଞ୍ଚଳକୁ ନେଉଥିବା ସ୍ବୀକାର କରିଥିଲେ । ତେବେ ଜବତ ବାଘଛାଲର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ା ଦେବଗଡ ବନଖଣ୍ଡ ଅଧିକାରୀ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ।