ଚୋରା ପଥର ଚାଲାଣରେ ଦୁଇ ପୋଲିସ ଅଧିକାରୀ: ଇନ୍ସପେକ୍ଟର ବିକ୍ରମ ଜେନା ନିଲମ୍ବିତ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ)/ ଖୋର୍ଦ୍ଧା(ଡି.ଏନ୍‌.ଏ.): ଚୋରା ପଥର ଚାଲାଣ ର଼୍ୟାକେଟରେ ପୋଲିସ ଅଧିକାରୀ। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ସ୍କାନରରେ ଥିବା ଦୁଇ ଥାନା ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା ଓ ରଞ୍ଜିତ ସାହୁଙ୍କ ଉପରେ ଆରମ୍ଭ ହୋଇଛି ପଦକ୍ଷେପ। ଉଭୟଙ୍କୁ ଖୋର୍ଦ୍ଧାରେ ବେଆଇନ ପଥର ଚାଲାଣ ମାମଲାରେ ଗିରଫ କରିପାରେ ଏସ୍‌ଟିଏଫ୍‌। ଡ୍ୟୁଟିରେ ଅନୁପସ୍ଥିତ ରହିବା ସହ ନୋଟିସ୍‌ର ଜବାବ ନ ଦେବାରୁ ଇନ୍ସପେକ୍ଟର ବିକ୍ରମ କେଶରୀ ଜେନାଙ୍କୁ ଶନିବାର ନିଲମ୍ବନ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା।

ଏସ୍‌ଟିଏଫ୍‌ର ସୂଚନାନୁସାରେ, ବିକ୍ରମ ଖୋର୍ଦ୍ଧା ଥାନାରେ ଥିବା ସମୟରେ ଖଣି ମାଫିଆଙ୍କ ସହ ହାତ ମିଳାଇ ବେଆଇନ ପଥର ଚାଲାଣ କରୁଥିଲେ। ନିଜ କ୍ଷମତାର ଅପବ୍ୟବହାର କରି ଖଣି ମାଫିଆ ଓ ପଥର ଚାଲାଣବେଳେ ସୁରକ୍ଷା ଦେଉଥିଲେ। ବଦଳରେ ବିକ୍ରମ କୋଟି କୋଟି ଟଙ୍କା ପାଉଥିବା ନେଇ ପ୍ରମାଣ ମିଳିବା ପରେ ଏସ୍‌ଟିଏଫ୍‌ ତାଙ୍କୁ କେସ୍‌ ନଂ.୭/୧୯ରେ ଜେରା କରିଥିଲା। ତେବେ ପୁଣି ଥରେ ଜେରା ପାଇଁ ନୋଟିସ କରିଥିଲେ ମଧ୍ୟ ସେ ଆସି ନ ଥିଲେ। ଏହାପରେ ତାଙ୍କୁ ଖୋର୍ଦ୍ଧା ଥାନାରୁ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ହେଲେ ସେ ସେବେଠାରୁ ବିନା ନୋଟିସରେ କାର୍ଯ୍ୟରେ ଯୋଗଦେଇ ନାହାନ୍ତି। ବାରମ୍ଭାର ନୋଟିସ୍‌ ପରେ ଜବାବ ନ ମିଳିବାରୁ ଜଗତ୍‌ସିଂପୁରସ୍ଥିତ ଘରକୁ ମଧ୍ୟ ସମନ ପଠାଯାଇଥିଲା। ହେଲେ ସେଠାରେ ସେ ଅନୁପସ୍ଥିତ ଥିବାରୁ ଶେଷରେ ଶନିବାର ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି। ସେ ମଧ୍ୟ ଗିରଫ ଭୟରେ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।
ଇନ୍ସପେକ୍ଟର ରଞ୍ଜିତ ସାହୁ ୨୦୧୭-୧୮ରେ ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ଥିବାବେଳେ ଚୋରା ପଥର କାରବାରରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ସେ ଏବେ ବାଲେଶ୍ୱର ଜିଲା ବାଲିଆପାଳ ଥାନାରେ ଥିଲେ ମଧ୍ୟ ଦେହ ଅସୁସ୍ଥ ଥିବା କାରଣ ଦର୍ଶାଇ ଦୀର୍ଘଦିନ ହେବ ଛୁଟିରେ ରହିଛନ୍ତି। ସେ ମଧ୍ୟ ଗିରଫ ଭୟରେ ଏଭଳି ଫେରାର ରହି ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡିଛି। ସେ ପଥର ମାଫିଆଙ୍କ ଦ୍ୱାରା କୋଟି କୋଟି ଟଙ୍କା ଲାଭ ପାଇଥିବା ନେଇ ତାଙ୍କୁ ଏସ୍‌ଟିଏଫ୍‌ ଜେରାବେଳେ ପ୍ରମାଣ ପାଇଥିଲେ। ଏହାପରେ ସେ ଉପରିସ୍ଥ ଅଧିକାରୀଙ୍କୁ ଧରି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ ବୋଲି ଚର୍ଚ୍ଚା ହେଉଛି।

ଏ ନେଇ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରସାଦ ସ୍ବାଇଁ କହିଛନ୍ତି, ବିକ୍ରମ କାର୍ଯ୍ୟରେ ଅନୁପସ୍ଥିତ ରହିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା। ସେ ଏହାର ଜବାବ ଦେଇ ନ ଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏସ୍‌ଟିଏଫ୍‌ ତା’ ବାଟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ। ବାଲେଶ୍ୱର ଏସ୍‌ପି ବି. ଯୁଗଳ କିଶୋର କୁମାର କହିଛନ୍ତି, ରଞ୍ଜିତ ୩ସପ୍ତାହ ହେବ ଅସୁସ୍ଥ ଥିବା ଦର୍ଶାଇ ଛୁଟି ନେଇଛନ୍ତି। ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେଇ ନାହଁାନ୍ତି। ଏସ୍‌ଟିଏଫ୍‌ ମାମଲା ଅନ୍ୟ ଜିଲାରେ ହୋଇଥିବାରୁ ସେନେଇ ମୋ ନିକଟରେ କିଛି ସୂଚନା ନାହିଁ।

Share