ଚୋରା ପଥର ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର : ୨ ଓ୍ବାଣ୍ଟେଡ ଅଭିଯୁକ୍ତଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନଠାରୁ ଆରମ୍ଭ କରି ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସଂପୃକ୍ତ ୨ ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ନାରାୟଣ ନଗର ଅଞ୍ଚଳର ପ୍ରଫୁଲ ନାୟକ ଓରଫ ଟୁନା ଓ କୁମାରବସ୍ତ ଅଞ୍ଚଳର ଅବନିକାନ୍ତ ସାମନ୍ତରାୟ। ଗୁରୁବାର ଏସ୍‌ଟିଏଫ୍‌ ଟିମ୍‌ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ାଉ କରି ସେମାନଙ୍କୁ ଧରିଥିଲା। ଏହାପରେ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ପଚରାଉଚରା ପରେ ସେମାନଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ସେମାନଙ୍କ ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବାକୁ ଏସ୍‌ଟିଏଫ୍‌ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଜିଲାରେ ବେଆଇନ ପଥର ଖଣି ଖନନ ଓ ପଥର ଚୋରା ଚାଲାଣ ଘଟଣାର ତଦନ୍ତ କରୁଛି ଏସ୍‌ଟିଏଫ୍‌। ଜଗନ୍ନାଥଙ୍କ ନାମରେ ଥିବା ପାହାଡ ଓ ଜମିରୁ ବେଆଇନ ପଥର ଉତ୍ତୋଳନ ନେଇ ଏସ୍‌ଟିଏଫ୍‌ ଗତ ଜୁଲାଇ ୧ରେ ଏକ ମାମଲା (ନଂ. ୭/୧୯) ରୁଜୁ କର ଘଟଣାର ତଦନ୍ତ କରୁଛି। ଏହି ମାମଲାରେ ଅବନିକାନ୍ତ ଓ ପ୍ରଫୁଲ୍ଲଙ୍କୁ ଧରିବା ପରେ ଏସ୍‌ଟିଏଫ୍‌ର ଗିରଫ ସଂଖ୍ୟା ୧୫ରେ ପହଞ୍ଚତ୍ଛି। ତେବେ ଆଉ ୧୫ଜଣ ଓ୍ବାଣ୍ଟେଡ୍‌ ତାଲିକାରେ ରହିଥିବା ଜଣାପଡିଛି।
ଅନ୍ୟପକ୍ଷରେ ଏହି ଦୁଇ ଅଭିଯୁକ୍ତ ଚୋରା ଅସ୍ତ୍ରଶସ୍ତ୍ର କାରବାର କରୁଥିଲେ। ପ୍ରଫୁଲ ବାହାର ରାଜ୍ୟରୁ ପିସ୍ତଲ ଆଣି ପୁରୀ, କଟକ, ଭଦ୍ରକ ଓ ଭୁବନେଶ୍ୱରକୁ ଏଜେଣ୍ଟ ଜରିଆରେ ପଠାଇ ବିକ୍ରି କରୁଥିଲେ। ଏନେଇ ପ୍ରଫୁଲଙ୍କ ନାମରେ ଖୋର୍ଦ୍ଧା ଥାନାରେ ମାମଲା ନଂ. ୪୨/୨୦୧୭ ଓ ୪୯୫/୨୦୧୮ ଆଦି ୫ ମାମଲା ରହିଛି। ଏଥିସହ ସେମାନେ ବହୁ ଅପରାଧରେ ସମ୍ପୃକ୍ତ ଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି।

Share