ଚୋରା ପଥର ଚାଲାଣ ର଼୍ୟାକେଟରେ ପୋଲିସ ବାବୁ:ଇନ୍ସପେକ୍ଟର ରଞ୍ଜିତ ସାହୁ ନିଲମ୍ବିତ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ଖୋର୍ଦ୍ଧା ପଥର ଚାଲାଣରେ ସଂପୃକ୍ତଥିବା ଦୁଇ ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା ଏବଂ ରଞ୍ଜିତ ସାହୁଙ୍କୁ ଏସ୍‌ଟିଏଫ ଗିରଫ କରିବା ପାଇଁ ବାଟ ଫିଟିଛି। ଗତ ୧୬ ତାରିଖରେ ଇନ୍ସପେକ୍ଟର ବିକ୍ରମଙ୍କୁ ନିଲମ୍ବିତ କରାଯାଇଥିବାବେଳେ ମଙ୍ଗଳବାର ରଞ୍ଜିତଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ବିନା କାରଣରେ ଛୁଟିରେ ରହିବା ଓ ନୋଟିସ ସତ୍ତ୍ୱେ ଜବାବ ନ ଦେବା କାରଣରୁ ତାଙ୍କ ଉପରେ ଏହି ପଦକ୍ଷେପ ନିଆଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ଦର୍ଶାଯାଇଛି।
ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧିକାରୀ ଥିବା ରଞ୍ଜିତଙ୍କୁ ସୋମବାର ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ଖଣି ଓ ନିଶା ମାଫିଆଙ୍କ ସହ ଲିଙ୍କ୍‌ର ପ୍ରମାଣ ପାଇବାପରେ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି। ତେଣୁ ଏବେ ଏସ୍‌ଟିଏଫ୍‌ ରଞ୍ଜିତଙ୍କ ସହ ବିକ୍ରମଙ୍କୁ ଗିରଫ ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଛି। ହେଲେ ସେମାନେ ଫେରାର ରହି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଉଦ୍ୟମ ଚଳାଇଛନ୍ତି। ଏସ୍‌ଟିଏଫ୍‌ ସେମାନଙ୍କର କୌଣସି ପତ୍ତା ପାଉ ନ ଥିବାରୁ ପଳାତକ ଘୋଷଣା କରାଯାଇପାରେ ବୋଲି ସୂଚନା ମିଳିଛି। ଜଣେ ଅଧିକାରୀ କହିଛନ୍ତି, ସେମାନଙ୍କ ଘରେ ଲଟ୍‌କା ଲଗାଯିବ। ଏହାସତ୍ତ୍ୱେ ଯଦି ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ ନ କରନ୍ତି, ତେବେ ଉଭୟଙ୍କୁ ପଳାତକ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ।
ଅନ୍ୟପକ୍ଷରେ ଏସ୍‌ଟିଏଫ୍‌ ଉଭୟଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ ଦାବି ଉଠୁଛି। କାରଣ ଉଭୟ ଖୋର୍ଦ୍ଧା ଜିଲାରେ ଥିବାବେଳେ ନିଜ ପଦବୀର ଅପବ୍ୟବହାର କରି ଖଣି ମାଫିଆଙ୍କୁ ଅନୁକମ୍ପା ଓ ସୁରକ୍ଷା ଦେଇଥିଲେ। ସେହିଭଳି ନିଶା ମାଫିଆ ଛୋଟା ଓ ଅନ୍ୟ କେତେଜଣଙ୍କୁ ସେମାନଙ୍କ ଅପରାଧ ସାମ୍ରାଜ୍ୟ ବିସ୍ତାର କରିବାରେ ସହଯୋଗ କରିଥିଲେ। ଏଥିପାଇଁ ଦୁଇ ଥାନା ଅଧିକାରୀ ଓ ସେମାନଙ୍କ ପରିବାର ଲୋକଙ୍କ ଆକାଉଣ୍ଟକୁ ବିପୁଳ ଟଙ୍କା ଆସିଥାଇପାରେ। ଯାଞ୍ଚ କରାଗଲେ ଆହୁରି ବହୁ ଗୁମର ପଦାକୁ ଆସିବ। ଏପରି କି ଅନେକ ସମୟରେ ଏହି ଦୁଇ ଅଧିକାରୀ ଖୋର୍ଦ୍ଧାର ଏକ ନିର୍ଦ୍ଦିଷ୍ଟ ହୋଟେଲରେ ଅପରାଧୀଙ୍କ ସହ ଏକାଠି ହୁଅନ୍ତି। କଳାକାରବାର ଓ ଅପରାଧର ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିବା ସହ ମଉଜମସ୍ତି କରନ୍ତି। ଏସ୍‌ଟିଏଫ୍‌ ଏହା ଉପରେ ତଦନ୍ତ କରିବା ସହ ସେମାନଙ୍କୁ ଗିରଫ କଲେ ଅପରାଧ ପେଡ଼ି ଖୋଲିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Share