ଚୋରା ବାଲିଖାଦାନ ଉପରେ ପ୍ରଶାସନର ମିଳିତ ଚଢାଉ

ସଜନାଗଡ,୧୧।୬(ଡି.ଏନ୍‌.ଏ): ବାଲେଶର ଜିଲା ନୀଳଗିରି ତହସିଲ ଅଧିନ କାଠପାଳ ଅଞ୍ଚଳ ସ୍ଥିତ ସୋନ ନଦୀ ଘାଟରେ ବାଲି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ବାଲି ଚୋରାଚାଲାଣ ହେଉଥିବା ନେଇ ଖବର ପାଇବା ପରେ ନୀଳଗିରି ପ୍ରଶାସନ ବୁଧବାର ରାତିରେ ଚଢାଉ କରିଥିଲା। ଏହି ଚଢାଉ ଉପଜିଲାପାଳ, ତହସିଲଦାର ଓ ପୋଲିସ କର୍ମଚାରୀ ମିଳିତ ଭାବେ କରିଥିଲେ। ଘଟଣାସ୍ଥଳରେ ପ୍ରଶାସନକୁ ଦେଖି କିଛି ଟ୍ରାକ୍ଟର ଫେରାର ହୋଇଯାଇଥିବା ବେଳେ ଗୋଟିଏ ଜେସିବି, ଗୋଟିଏ ଲୋଡର ମେସିନ ଓ ୨ ଡମ୍ପରକୁ ଜବତ କରାଯାଇଥିଲା। ହେଲେ ଏହି ବାଲି ମାଫିଆଙ୍କୁ କିଛି ଗ୍ରାମବାସୀ ସମର୍ଥନ କରୁଥିବାରୁ ଅଟକ ଗାଡ଼ିଗୁଡ଼ିକୁ ପ୍ରଶାସନ ଛାଡ଼ିଦେବାକୁ କହିଥିଲେ। ଏହାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ତେବେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସଂଖ୍ୟା ଅତ୍ୟଧିକ ଓ ପୋଲିସଙ୍କ ସଂଖ୍ୟା କମ୍‌ ରହିଥିବା ବେଳେ ଅନ୍ଧାର ରାତିର ସୁଯୋଗ ନେଇ ବାଲି ମାଫିଆମାନେ ଅଟକ ଗାଡ଼ିଗୁଡ଼ିକୁ ଛଡ଼ାଇ ନେବାରେ ସଫଳ ହୋଇଥିଲେ। ଏଥିସହ ଉପଜିଲାପାଳ ଓ ତହସିଲଦାରଙ୍କୁ ପଥର ଫୋପାଡ଼ି ଆକ୍ରମଣ କରିଥିଲେ। ପରେ ଗୋଟିଏ ଡମ୍ପର ଓ ଗୋଟିଏ ଲୋଡର ଜବତ କରି ତହସିଲଦାର ଥାନାରେ ଜିମା ଦେଇଥିବା ଜଣାପଡ଼ିଛି।