ଚୋରା ଲୁହା ସ୍କ୍ରାପ୍‌ ବୋଝେଇ ଗାଡ଼ି ଜବତ: ୨ କୋର୍ଟ ଚାଲାଣ

ଯୋଡ଼ା,୩୦।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏକ ଗାଡ଼ି ଶୋ’ରୁମ୍‌ ନିକଟରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ଚଢ଼ାଉ କରି ଏକ ଚୋରା ଲୁହା ସ୍କ୍ରାପ ବୋଝେଇ ଗାଡ଼ି ଜବତ କରିଥିଲା। ତେବେ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଅଭିଯୁକ୍ତଦ୍ୱୟ ଯୋଡ଼ା ସହରର କମାରଯୋଡ଼ା ଅଞ୍ଚଳରୁ ଏକ ସୁମୋ ଗାଡ଼ିରେ ପ୍ରାୟ ୮ ମେଟ୍ରିକ ଟନ୍‌ ପରିମାଣର ଲୁହା ସ୍କ୍ରାପ ବୋଝେଇ କରି ଝାଡ଼ଖଣ୍ଡ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ। ଏ ସମ୍ପର୍କରେ ଯୋଡ଼ା ପୋଲିସ ଖବର ପାଇ ସଦଳବଳ ଚଢ଼ାଉ କରି ଉକ୍ତ ଗାଡ଼ିକୁ ଜବତ କରିବା ସହିତ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଦ୍ୱୟ ହେଲେ ଯୋଡ଼ା ହୁଡି ସାହିର ରାଜକୁମାର ପୋଦାର ଓ ଝାଡ଼ଖଣ୍ଡ ରାଜ୍ୟ ସଢେଇକଳା ଅଞ୍ଚଳର ସଂଜୟ ଗୁପ୍ତା। ଜବତ ହୋଇଥିବା ସ୍କ୍ରାପର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ଏନେଇ ଯୋଡ଼ା ଥାନାରେ କେସ ନଂ. ୨୩୨/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ସୋମବାର କୋର୍ଟଚାଲାଣ କରିଥିବା ସୂଚନା ଦେଇଛି।