Categories: ଜାତୀୟ

ଚୋରା ସୁନା କାରବାର: ଚେର ଲମ୍ବିଛି ମ୍ୟାନ୍‌ମାର୍‌ରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୭: ମ୍ୟାନ୍‌ମାର୍‌-ଭାରତ ସୀମାରେ ବେଧଡ଼କ ଚୋରା ସୁନା କାରବାର ଜାରି ରହିଛି। ଏହି କାରବାରର ଚେର ସୀମାବର୍ତ୍ତୀ ଅଞ୍ଚଳରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଇମ୍ଫାଲରେ ଚୋରା ସୁନା ପହଞ୍ଚିବା ପରେ ଏହାକୁ ନାଗାଲାଣ୍ଡର ଦିମାପୁର ଏବଂ ଆସାମର ସିଲଚର ପଠାଯାଇଥାଏ। ପରେ ଏହାକୁ ପଶ୍ଚିମବଙ୍ଗର କୋଲକତା ଏବଂ ଦିଲ୍ଲୀ ପଠାଯାଇଥାଏ। ମ୍ୟାନ୍‌ମାରର ତାମୁ ଏବଂ ମଣିପୁରର ମୋରେଶ୍‌ରେ ଚୋରା ସୁନା କାରବାର ହୋଇଥାଏ। ମ୍ୟାନ୍‌ମାରରେ ସୁନା ଦର ଭାରତ ତୁଳନାରେ ୪-୫ ଶହ ଟଙ୍କା କମ୍‌। ଭାରତରେ ସୁନା ଉପରେ ୧୦ ପ୍ରତିଶତ କଷ୍ଟମ୍‌ ଡ୍ୟୁଟି ସହିତ ୩ ପ୍ରତିଶତ ଜିଏସ୍‌ଟି ଲାଗୁହୋଇଥାଏ। ୨୦୧୭-୧୮ରେ ଭାରତୀୟ କଷ୍ଟମ୍‌ ବିଭାଗ ପକ୍ଷରୁ ୩ହଜାର ୨ ଶହ ୨୩ କିଲୋଗ୍ରାମ୍‌ ସୁନା ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୯ଶହ ୭୪ କୋଟିଥିଲା। ୨୦୧୫-୧୬ରେ ୧,୧୧୯.୧ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିଲା। ସେହିପରି ୨୦୧୪-୧୫ରେ ଜବତ ହୋଇଥିବା ଚୋରା ସୁନାର ମୂଲ୍ୟ ୬୯୨.୩ କୋଟି ଟଙ୍କା ଥିଲା। ୨୦୧୩-୧୪ରେ ୯୯.୩ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିଲା। ଭାରତ-ମ୍ୟାନ୍‌ମାର ମଧ୍ୟରେ ଦୀର୍ଘ ୧,୬୪୩ କିଲୋମିଟର ସୀମା ରହିଛି। ଏହା ଭାରତର ମଣିପୁର, ମିଜେରାମ୍‌, ନାଗାଲାଣ୍ଡ ଏବଂ ଅରୁଣାଚଳପ୍ରଦେଶ ଆଦି ୪ଟି ରାଜ୍ୟ ଦେଇ ଯାଇଛି। ମଣିପୁରର ତାମୁ-ମୋରେଶ୍‌-ଇମ୍ଫାଲ୍‌ ଏବଂ ମିଜୋରାମ୍‌ର ଜୋଖାଟଓ୍ବର ରାସ୍ତା ଦେଇ ଭାରତ-ମ୍ୟାନମାର୍‌ ମଧ୍ୟରେ ଯୋଗାଯୋଗ ଜାରି ରହିଛି। ଚୋରା ସୁନା କାରବାର ବୃଦ୍ଧି ପାଉଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା କୁହାଯାଉଛି।

Share