Categories: ଜାତୀୟ

ଚୋରି କରିବାକୁ ଯାଇଥିଲେ, ମଦ ପିଇ ଫେରିଆସିଲେ

କୋଚି,୨୦ା୨(ଆଇଏଏନ୍‌ଏସ୍‌): ଏକ ଘରକୁ ଚୋରି କରିବା ପାଇଁ ଜଣେ ଚୋର ଯାଇଥିଲେ। ଘରେ ଆର୍ମି କ୍ୟାପ୍‌ ଦେଖି ତାହା ଜଣେ ପୂର୍ବତନ ସୈନିକଙ୍କ ଘର ବୋଲି ଜାଣିବା ପରେ ସେ ଚୋରି ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଫେରିଆସିବା ପୂର୍ବରୁ ଚୋର ସେଠାରେ ଥିବା ମଦ ପିଇଦେଇଥିଲେ। ଏପରି କୌତୂହଳପୂର୍ଣ୍ଣ ଘଟଣା ଘଟିଛି କେରଳର କୋଚିସ୍ଥିତ ତ୍ରିପୁନିଥୁରାରେ। ବୁଧବାର ସକାଳେ ଶ୍ରମିକମାନେ ସମ୍ପୃକ୍ତ ପୂର୍ବତନ ସେନା ଅଧିକାରୀଙ୍କ ଘର ମରାମତି କରିବାବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଘର ସାମ୍ନାପଟ କବାଟକୁ ଭାଙ୍ଗିଦିଆଯାଇଛି। କାନ୍ଥରେ ଚୋର ଲେଖିଥିବା କଥା ପଢ଼ି ସମସ୍ତେ ବିସ୍ମିତ ହୋଇଯାଇଛନ୍ତି। ଚୋର ଲେଖିଛନ୍ତି, ଏହା ଜଣେ ସେନା ଅଧିକାରୀଙ୍କ ଘର ବୋଲି ମୁଁ ଜାଣି ନ ଥିଲି। ହେଲେ ତାଙ୍କର ଟୋପି ଦେଖିବା ପରେ ଚୋରି କରିବା ନିଷ୍ପତ୍ତି ବଦଳାଇଦେଲି। ଅଫିସର, ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ଅନ୍ୟ ଏକ ସ୍ଥାନରେ ସେ ପୁଣି ଲେଖିଛନ୍ତି, ନିକଟସ୍ଥ ଏକ ଦୋକାନରୁ ସେ ଟଙ୍କା ଓ ବ୍ୟାଗ୍‌ ଚୋରି କରିଛନ୍ତି। ସେ ଯେହେତୁ ଟଙ୍କା ନେଇସାରିଛନ୍ତି, ବ୍ୟାଗ୍‌ଟିକୁ ଦୋକାନୀଙ୍କୁ ଫେରସ୍ତ କରାଯିବା ଉଚିତ। ସମ୍ପ୍ରତି ମଧ୍ୟପ୍ରାଚ୍ୟରେ କାର୍ଯ୍ୟରତ ଘର ମାଲିକ ଇସାକ୍‌ ମନି କହିଛନ୍ତି, ଏହି ଘଟଣା ପରେ ତାଙ୍କ ପାଖକୁ ଅନେକ ଫୋନ୍‌ କଲ ଆସିବାରେ ଲାଗିଛି।

Share