ଚୋରି କରିବାକୁ ଯାଇଥିବା ବ୍ୟକ୍ତିଙ୍କ ଟ୍ରକ ହୋଇଗଲା ଚୋରି

ଓ୍ବାଶିଂଟନ୍‌,୨୭।୮: କଥାରେ ଅଛି ଯେମିତି କର୍ମ କରିବ ସେମିତିି ଫଳ ପାଇବ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ଓ୍ବାଶିଂଟନ୍‌ର କେନ୍ନଓ୍ବେିକ୍‌ରେ। ଜଣେ ଟ୍ରକ ଡ୍ରାଇଭର ରାସ୍ତା କଡ଼ରେ ନିଜ ଟ୍ରକକୁ ରଖି ପାଖ ଦୋକାନକୁ ଚୋରି କରିବାକୁ ଯାଇଥିଲେ। ହେଲେ ଏପଟେ ତାଙ୍କର ନିଜର ଟ୍ରକକୁ ଆଉ କିଏ ଚୋରି କରି ନେଇଥିଲେ। ଏନେଇ ଟ୍ରକ ମାଲିକ କେନ୍ନଓ୍ବେିିକ ଥାନାରେ ଲିଖିତ ଅଭିଯୋଗ କରିବା ସହ କହିଥିଲେ, ଟ୍ରକରେ ସେ ଚାବି ଛାଡ଼ି ଦେଇଥିବାରୁ କେହି ଦୁର୍ବୃତ୍ତ ତାଙ୍କର ଗାଡିକୁ ଚୋରି କରି ନେଇଛନ୍ତି। ଏହାପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ସିସିଟିଭିକୁ ଦେଖିବା ପରେ ଘଟଣାରେ ଏକ ନୂଆମୋଡ଼ ଆସିଥିଲା। ଟ୍ରକ ମାଲିକ ଦୋକାନରୁ ଚୋରି କରିବା ଉଦ୍ଦେଶ୍ୟରେ ଟ୍ରକକୁ ଛାଡି ଚାଲି ଯାଇଥିଲେ ଏବଂ ସେ ଚୋରି କରୁଥିବା ସମୟରେ ତାଙ୍କର ଟ୍ରକକୁ ଆଉ ଜଣେ ବ୍ୟକ୍ତି ଚୋରି କରି ନେଇଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ଟ୍ରକ ମାଲିକଙ୍କୁ ଚୋରି ଉଦ୍ଦେଶ୍ୟରେ ଗିରଫ କରି ବେନ୍‌ଣ୍ଟନ କାଉଣ୍ଟି ଜେଲ୍‌କୁ ପଠାଇ ଦେଇଛି। ଅନ୍ୟପଟେ ଏହି ଘଟଣା ବାବଦରେ ସ୍ଥାନୀୟ ପୋଲିସ ଫେସ୍‌ବୁକ୍‌ରେ ଶେୟାର କରିବା ପରେ ୟୁଜର୍ସମାନେ ମଜାଳିଆ କମେଣ୍ଟ କରିଛନ୍ତି।

Share