Categories: ରାଜ୍ୟ

ଚୋରି କରି ଜରିମାନା ଦେଇଥିବା ଖଣି କମ୍ପାନୀକୁ ନିଲାମି ପ୍ରକ୍ରିୟାରୁ ବାଦ୍‌ ଦିଆଯାଉ

ଭୁବନେଶ୍ୱର,୧୨।୬(ବ୍ୟୁରୋ) : ପୂର୍ବରୁ ବେଆଇନ ଭାବେ ଖଣି ଉତ୍ତୋଳନ କରି ଜରିମାନା ଦେଇଥିବା କମ୍ପାନୀଗୁଡିକୁ ନୂଆ ନିଲାମିରୁ ବାଦ୍‌ ଦିଆଯାଉ। ରାଜ୍ୟ ସରକାର ଆଗାମୀ ଦୁଇ ମାସ ମଧ୍ୟରେ ପ୍ରାୟ ୪୦ଟି ଲୁହାପଥର ଖଣି ନିଲାମ କରିବାକୁ ଯାଉଛନ୍ତି। ତେଣୁ ଏହି ନିଲାମି ଯେପରି ସ୍ବଚ୍ଛ ଏବଂ ରାଜ୍ୟକୁ ଅଧିକ ରାଜସ୍ବ ଯୋଗାଇପାରିବ, ସେ ନେଇ ପଦକ୍ଷେପ ନେବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଦାବି କରିଛନ୍ତି।
ଶ୍ରୀକାନ୍ତ କହିଛନ୍ତି, ଖଣି ଲିଜ୍‌, ଉତ୍ତୋଳନ, ପରିବହନ ଓ ବିଦେଶକୁ ରପ୍ତାନି ଆଦି ପ୍ରକ୍ରିୟା ଓଡ଼ିଆ ଉଦ୍ୟୋଗୀଙ୍କ ନିୟନ୍ତ୍ରଣରେ ରହୁ। ଖଣି ନିଲାମି ସମ୍ପର୍କରେ ଥିବା ନିୟମକୁ ରାଜ୍ୟ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ। ରାଜ୍ୟ ସରକାର ଖଣି ନିଲାମ ନ କରି ନିଜସ୍ବ ସଂସ୍ଥା ନିୟନ୍ତ୍ରଣରେ ରଖନ୍ତୁ, ଯାହା ଦ୍ୱାରା ରାଜକୋଷକୁ ୧୦ଗୁଣା ଅଧିକ ରାଜସ୍ବ ଆସିବ। ଯଦି ରାଜ୍ୟ ସରକାର ଖଣି ନିଲାମି ପାଇଁ ଏତେ ବ୍ୟାକୁଳ, ତେବେ ଯେଉଁ ଖଣି ମାଲିକମାନେ ଖଣି ଚୋରିରେ ଧରାପଡିଛନ୍ତି, ସେମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ୍‌ ଦିଆଯାଉ। କାରଣ ଏହି କମ୍ପାନୀଗୁଡିକ ଉପରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଖଣି ଜରିମାନା କରାଯାଇଥିଲା। ଚଞ୍ଚକତା କରି ରାଜ୍ୟ ସରକାର ଏହାକୁ ପ୍ରାୟ ୧୮ ହଜାର କୋଟିକୁ ହ୍ରାସ କରିଥିଲେ। ତେଣୁ ରାଜ୍ୟର ଖଣି ଲୁଟି ଜରିମାନା ବାବଦକୁ ସୁବିଧା ହାତେଇଥିବା କମ୍ପାନୀଗୁଡିକୁ ବାଦ୍‌ ଦେବା ପାଇଁ ଶ୍ରୀକାନ୍ତ ଦୃଢ ଦାବି କରିଛନ୍ତି। ସେହିଭଳି ନିଲାମରେ ଅଂଶଗ୍ରହଣ ପାଇଁ ଚିହ୍ନିତ ଖଣିଗୁଡିକର ନିକଟବର୍ତ୍ତୀ ଗ୍ରାମବାସୀ/ଏସ୍‌ଏଚ୍‌ଜି, ଅଥବା ସ୍ଥାନୀୟ ବେକାରି ଯୁବତୀଯୁବକଙ୍କ କୋଅପରେଟିଭ ମଧ୍ୟରେ ସୀମିତ କରାଯାଉ। ସମ୍ପତ୍ତି ଓଡ଼ିଶାବାସୀଙ୍କର , ହେଲେ ଏଠି ଅନ୍ୟମାନେ ମାଲିକଗିରି ଦେଖାଉଛନ୍ତି। ଉପଯୁକ୍ତ ଖଣିନୀତି ଅଭାବରୁ ଓଡ଼ିଆ ଗରିବିରେ ଶଢୁଛନ୍ତି, ହେଲେ ବେଆଇନ ଉତ୍ତୋଳନ କରୁଥିବା ଖଣି କମ୍ପାନୀମାନେ ରାତିରାତି କୋଟିପତି ହେଉଛନ୍ତି। ତେଣୁ ରାଜ୍ୟ ସରକାର ଜନମଙ୍ଗଳକାରୀ ଖଣିନୀତି ଆଣନ୍ତୁ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି। ପ୍ରକାଶ ଯେ, ୪ଦିନ ତଳେ ଖଣି ବିଭାଗୀୟ ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାର ଆଗାମୀ ଦୁଇମାସ ମଧ୍ୟରେ ୩୬ଟି ଖଣି ନିଲାମ କରିବାକୁ ଯାଉଛନ୍ତି। ୪ଟିର ନିଲାମି ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଏହିପରି ଭାବେ ୪୦ଟି ଖଣିର ନିଲାମ କରାଯିବ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଥିଲେ।

Share