ଚୋରି, ନିଶା କାରବାର ବୃଦ୍ଧିର ପ୍ରତିବାଦ: ରାସ୍ତାରେ ବସିଲେ, ଥାନା ଘେରିଲେ ମହିଳା

ସୋନପୁର, ୩।୨(ନି.ପ୍ର.) ସୁବର୍ଣ୍ଣପୁର ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ତରଫରୁ ମହିଳାମାନେ ରବିବାର ରାସ୍ତାକୁ ଓହ୍ଲାଇଥିଲେ। ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକ ରାଲିରେ ଆସି ଟାଉନ ଥାନା ସମ୍ମୁଖରେ ରାସ୍ତାରୋକୋ କରିଥିଲେ। ପରେ ସୋନପୁର ଥାନାକୁ ଘେରାଉ କରିଥିଲେ। ସହରରେ ଚୋରି ଓ ବେଆଇନ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଗଞ୍ଜେଇ, ମଦ, କଫ ସିରପ୍‌ ଭଳି ନିଶା କାରବାର ସହିତ ଜୁଆ ଖେଳକୁ ରୋକା ଯାଇ ପାରୁନି। ତେଣୁ ସହରକୁ ସମ୍ପୂର୍ଣ୍ଣ ନିଶା ମୁକ୍ତ କରିବା ଓ ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ମହିଳାମାନେ ଦାବି କରିଥିଲେ। ଏସ୍‌ପି ଦେବୀପ୍ରସାଦ ଦାଶ ଘଟଣାସ୍ଥଳକୁ ଆସି ମହିଳାମାନଙ୍କ ସହିତ ଆଲୋଚନା କରିବା ସହ ସହରରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏସ୍‌ପିଙ୍କ ପ୍ରତିଶୃତି ପାଇ ମହିଳାମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ନିଶା କାରବାର ରୋକିବା ପାଇଁ ମହିଳାମାନେ ଡ୍ରଗ୍ସ ଇନ୍ସପେକ୍ଟର ଓ ଅବକାରୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସଂଘ ସଭାନେତ୍ରୀ ନୁର ବିବି ଓ ନୁର ବେଗମଙ୍କ ସମେତ ଶତାଧିକ ମହିଳା ଆନ୍ଦୋଳନରେ ସାମିଲ ହୋଇଥିଲେ।

Share