ଚୋର ଧରିବାକୁ ବୁଲିଲା ଖଟ

ଭଦ୍ରକ ଅଫିସ, ୨।୩- ଡିଜିଟାଲ ଯୁଗରେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚୋର ଧରିବାକୁ ଲୋକେ ଗାଁରେ ବୁଲାଇଲେ ଖଟ। ରବିବାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଅସୁରା ଗ୍ରାମରେ ଏଭଳି ଦେଖିବାକୁ ମିଳିଥିଲା। ୪ ଜଣ ଏକ ଖଟକୁ କାନ୍ଧରେ ଧରି ବୋହୁଥିବାବେଳେ ନିକଟରେ ଜଣେ ବ୍ୟକ୍ତି(ଗୁଣିଆ) ସେମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ। ଯାହା କି ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ କୌତୂହଳ ସୃଷ୍ଟି କରିଥିଲା। ଖଟକୁ ଧରି ସେମାନେ ଗ୍ରାମର ଚାରିଆଡ଼େ ବୁଲାଇଥିଲେ। ହେଲେ ଶେଷରେ ଖଟ ଚୋର ଧରିବାରେ ବିଫଳ ହୋଇଥିଲା। ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକାଶ ଯେ, ଗତ ଜାନୁୟାରୀ ୧୬ରେ ଅସୁରା ଗଁାର ଜଣେ ବ୍ୟକ୍ତିଙ୍କ ଘରୁ ଲାଇଟ, ମାଇକ୍‌ ଓ ସାଉଣ୍ଡ ବକ୍ସ ଚୋରି ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ। ସମ୍ପୃକ୍ତ ବ୍ୟକ୍ତି ଏ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଏଯାଏ ଚୋରଙ୍କୁ ଧରିପାରି ନାହିଁ। ଏଣୁ ଅଭିଯୋଗକାରୀ କେନ୍ଦୁଝର ଅଞ୍ଚଳର ଜଣେ ଗୁଣିଆଙ୍କ ସହ ଯୋଗାଯୋଗ କରି ଗଁାରେ ଖଟ ବୁଲାଇଥିଲେ। ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଅସୁରା ଗଁାରେ ପହଞ୍ଚିବା ବେଳକୁ ଗୁଣିଆ ଫେରାର ହୋଇଯାଇଥିଲେ। ଗୁଣିଆ ଏହି ଗଁାରେ ଉପସ୍ଥିତ ରହି ଖଟଧରାଳିଙ୍କୁ ନିର୍ଦ୍ଦେଶ ଦେଉଥିଲେ ବୋଲି ସ୍ଥାନୀୟ ଲୋକେ କହିଥିଲେ। ଅନ୍ୟପକ୍ଷେ ଗୁଣିଆ କେନ୍ଦୁଝରରେ ରହି ଫୋନ ମାଧ୍ୟମରେ ଏହି କାମ କରାଇଥିବା ପୋଲିସ କହିଛି। ଅଭିଯୋଗକାରୀ ବ୍ୟକ୍ତିଙ୍କୁ ଥାନାକୁ ଡକାଇ ଏ ସମ୍ପର୍କରେ ପଚରାଉଚରା କରାଯିବ ବୋଲି ଥାନାଧିକାରୀ ପ୍ରଭାଂଶୁ ମହାନ୍ତି ସୂଚନା ଦେଇଛନ୍ତି।