ଚୌଦ୍ୱାରରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଗୁରୁତର

ଚୌଦ୍ୱାର,୧୩ା୧୦(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଅଞ୍ଚଳରେ ରବିବାର ସକାଳେ ପୋଲିସ-ଅପରାଧୀ ମୁହଁାମୁହିଁ ହୋଇଛନ୍ତି। ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ବାଡ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚାଉଳିଆଗଞ୍ଜ ଥାନା ଅଧୀନ ଅପର୍ଣ୍ଣା ନଗରର ଅଜୟ ସାହୁ ଓରଫ ଜିତୁ (୨୮) ଗୁରୁତର ଆହତ ହୋଇଛନ୍ତି। ଜିତୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ମାଗାଜିନ, ଗୋଟିଏ ଗୁଳି ଓ ଏକ ବାଇକ୍‌ ଜବତ ହୋଇଛି। ଜିତୁଙ୍କ ପାଲଟା ଆକ୍ରମଣରେ ଚୌଦ୍ୱାର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ, ଏସ୍‌ଆଇ ପାର୍ଥ ବେଉରା ଓ କନ୍‌ଷ୍ଟେବଳ ବିଶ୍ୱଜିତ ଦାସ ଆହତ ହୋଇଛନ୍ତି। ଜିତୁଙ୍କ ନାମରେ ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଥିବା ପୋଲିସ କହିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୪ତାରିଖରେ ଚୌଦ୍ୱାର ଥାନା ଅଧୀନ ନୂଆପାଟଣା ବଜାର ଓ ମଧୁସୂଦନ ସେତୁ ମଧ୍ୟବର୍ତ୍ତୀ ରାସ୍ତାରେ ଦୁର୍ବୃତ୍ତମାନେ ଏକ କାରକୁ ଅଟକାଇ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଗୁରୁତର ହୋଇଥିବା ଢେଙ୍କାନାଳ ଟାଉନ ଜୟଗୋପାଳ ସାହିର ଲାଲା ଲଜିତ୍‌ ମୋହନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜିତୁ ଟାଙ୍ଗୀ-କପିଳାସ ରାସ୍ତାର ଗହଣ୍ଡା ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଫାର୍ମ ହାଉସ୍‌ରେ ଲୁଚିଥିବା ପୋଲିସ ଖବର ପାଇଥିଲା। ରବିବାର ସକାଳେ ଜିତୁ ପୋଲିସକୁ ଦେଖି ଏକ ନମ୍ବର ବିହୀନ ବାଇକରେ କପିଳାସ ପଟକୁ ଖସିଯିବାକୁ ଚେଷ୍ଟା କରିଥିଲେ। ପୋଲିସ ଟିମ୍‌ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଜିତୁ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ପୋଲିସର ପାଲଟା ଗୁଳିରେ ଜିତୁ ବାଇକ୍‌ରୁ ଖସି ପଡ଼ିଥିଲେ। ସଙ୍ଗେସଙ୍ଗେ ପୋଲିସ ଟିମ୍‌ ତାଙ୍କୁ କାବୁ କରିନେଇଥିଲା।

Share