ଚୌଦ୍ୱାର-କଟକ ବସ୍‌ ଚଳାଚଳ ଦାବି କଲେ ଲୋକେ

ଚୌଦ୍ୱାର,୧୧ା୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଗତ ମାର୍ଚ୍ଚ ୨୩ରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗତ କିଛିଦିନ ହେବ ରାଜ୍ୟ ସରକାର ବସ୍‌ ଚଳାଚଳ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ୍‌ ଚୌଦ୍ୱାରରୁ କଟକ ବସ୍‌ ସେବା ଆରମ୍ଭ କରାଯାଇନାହିଁ। ଫଳରେ ଚୌଦ୍ୱାର ସହରବାସୀଙ୍କ ସମେତ ଆଖପାଖ ପଞ୍ଚାୟତର ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଘୋଷଣା ପରେ ମାତ୍ର ଗୋଟିଏ ଦିନ ପାଇଁ ଗୋଟିଏ ବସ୍‌ ଚୌଦ୍ୱାରରୁ କଟକ ଯାତାୟାତ କରିଥିବା ବେଳେ ଉପଯୁକ୍ତ ପ୍ରାପ୍ୟ ନ ମିଳିବାରୁ ସେହି ବସ୍‌ ବନ୍ଦ କରିବାକୁ ବାଧ୍ୟ ହୋଇଥିବା ଜନୈକ ବସ୍‌ ମାଲିକ କୁହନ୍ତି।ସେହିଦିନଠାରୁ ଚୌଦ୍ୱାରରୁ କଟକ ବସ୍‌ ସେବା ବନ୍ଦ ରହିଛି। ଘରୋଇ ବସ୍‌ କିମ୍ବା ସରକାରୀ ବସ୍‌ ନ ଚାଲିବାରୁ ଲୋକେ ଦୈନନ୍ଦିନ ଜୀବନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲା ପ୍ରଶାସନ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍ଥିତିରେ ସରକାରୀ ବସ୍‌ ଖଣ୍ଡିଏ ଚୌଦ୍ୱାରରୁ କଟକ ଚଳାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share