ଚୌଦ୍ୱାର ଜେଲରେ ରହି ଦାଦାବଟି ଆଦାୟ: ୪ ଗିରଫ

କଟକ ଅଫିସ, ୨୬।୧: ଚୌଦ୍ୱାର ଜେଲରେ ଥାଇ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଡାନାସୀ ଗୋପାଳ ସାହିର ପ୍ରତାପ ବେହେରା(୫୪), ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା(୪୯), ବିଡାନାସୀ ବସୁନ୍ଧରା ଲେନର ଉଲ୍ଲାସ ବେହେରା(୨୪) ଓ ରାହୁଲ ମୁର୍ମୁ(୧୯)। ଏମାନଙ୍କ ଠାରୁ ଗୋଟିଏ ଗାଡ଼ି(ଓଡି-୩୩-ଜେଡ-୭୦୪୪) ଓ ୪ଟି ମୋବାଇଲ ଫୋନ ଜବତ ହୋଇଛି।

ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ମଙ୍ଗୁଳି ଛକ ନିକଟରେ ଥିବା ଶ୍ରୀ ଗଜାନନ୍ଦ ଇଣ୍ଡଷ୍ଟ୍ରିର ମାଲିକ ଗୋପାଳ ଚନ୍ଦ୍ର ଗୁପ୍ତାଙ୍କୁ ଟାଙ୍ଗୀ ଥାନା ପୋଲିସ ଗିରଫ କରିଥିଲା। ନକଲି ତେଲ କାରଖାନା ଚଲାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ୨୨ତାରିଖରେ କୋର୍ଟ ଚାଲାଣ କରାଯାଇ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ତେବେ ସେଠାରେ ଗୁପ୍ତାଙ୍କୁ ଦୁର୍ଦ୍ଦାନ୍ତ ଧଳଭ୍ରାତାଙ୍କ ପ୍ରମୁଖ ସହଯୋଗୀ ଲିଟୁଆ ଓରଫ ଭରତ ବେହେରା ଧମକ ଦେଇଥିଲା। ତାଙ୍କୁ ୫୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଟଙ୍କା ଦେଲେ ଜେଲରେ ତାଙ୍କୁ କୌଣସି ପ୍ରକାର ହଇରାଣ କରାଯିବ ନାହିଁ । ନହେଲେ ତାଙ୍କ ସହ ପୂରା ପରିବାରକୁ ଜୀବନରୁ ମାରିଦିଆଯିବ ବୋଲି ଗୁପ୍ତାଙ୍କୁ ଲିଟୁଆ ଧମକ ଦେଇଥିଲା। ଲିଟୁଆ ପାଖରେ ଥିବା ଏକ ମୋବାଇଲରୁ ଗୁପ୍ତାଙ୍କ ସ୍ତ୍ରୀ ସୀମା ଗୁପ୍ତାଙ୍କୁ ଯୋଗାଯୋଗ କରିବା ସହ ଦାଦାବଟି ବାବଦରେ ୫୦ଲକ୍ଷ ଟଙ୍କା ମାଗିଥିଲେ। ଏହା ପରଦିନ ସୀମା ଚୌଦ୍ୱାର ଜେଲକୁ ଆସି ଗୁପ୍ତାଙ୍କୁ ଭେଟିବା ସମୟରେ ଲିଟୁଆ ଓ ତାଙ୍କର କିଛି ସହଯୋଗୀ ପୁନର୍ବାର ତାଙ୍କୁ ଦାଦାବଟି ପାଇଁ ଧମକ ଦେଇଥିଲେ। ଲିଟୁଆ ଓ ତାଙ୍କ ଦୁଇ ସହଯୋଗୀ ମହାନଦୀ ବିହାରସ୍ଥିତ ଗୁପ୍ତାଙ୍କ ଘରକୁ ଯାଇ ଟଙ୍କା ଆଣିବା ପାଇଁ ଲିଟୁଆ କହିଥିଲା। ତେବେ ଏ ନେଇ ସୀମା ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ. ୩୦/୨୦)ରୁଜୁକରି ତଦନ୍ତ ଚଳାଇଥିଲା। ତେବେ ଶୁକ୍ରବାର ଲିଟୁଆଙ୍କ ଦୁଇ ସହଯୋଗୀ ବିଡାନାସୀ ଅଞ୍ଚଳର ରାହୁଲ ଓ ଉଲ୍ଲାସ ମହାନଦୀ ବିହାର ସ୍ଥିତ ଗୁପ୍ତାଙ୍କ ଘରକୁ ଆସିଥିଲା ବେଳେ ପୋଲିସ ତାଙ୍କୁ କାବୁ କରିଥିଲା। ସେମାନଙ୍କୁ ଥାନାରେ ନେଇ ଜେରା କରିବା ପରେ ପୂରା ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଜେଲରେ ଥିବା ଲିଟୁଆଙ୍କ ଇସାରାରେ ତାଙ୍କ ବାପା ଓ ମା’ ହିଁ ଦାଦାବଟି ଆଦାୟ କରୁଥିବା ବିଷୟ ଜଣାପଡିଥିଲା। ଏହା ପରେ ଶନିବାର ଚାଉଳିଆଗଞ୍ଜ ଥାନା ପୋଲିସ ବିଡାନାସୀ ଗୋପାଳସାହି ସ୍ଥିତ ଲିଟୁଆଙ୍କ ଘରେ ଚଢାଉ କରି ତାଙ୍କ ବାପା ପ୍ରତାପ ବେହେରା ଓ ମା’ ପୁଷ୍ପଲତା ବେହେରାଙ୍କୁ ଗିରଫ କରିଛି।