ଚ୍ୟାଲେଞ୍ଜ ହୋଇପାରେ କୋଭିଡ୍‌ ପରବର୍ତ୍ତୀ କାର୍ଯ୍ୟସ୍ଥଳ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସରକାର ଲକ୍‌ଡାଉନ ସମୟସୀମାକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଅଧିକାଂଶ କର୍ମଚାରୀ ଘରେ ରହି ଅଫିସ କାର୍ଯ୍ୟ କରିବାକୁ ନିୟମିତ କାର୍ଯ୍ୟକ୍ରମ ଭାବେ ଧରିନେଇଛନ୍ତି। କରୋନା ସର୍ମ୍ପୂ୍‌ଣ୍ଣ ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିବାକୁ ଅନୁମତି ମିଳିପାରେ। ଲକ୍‌ଡାଉନ ବେଳେ ଦେଶର ୪୩ ଲକ୍ଷ ଆଇଟି ବିପିଓ କର୍ମଚାରୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଘରେ ରହି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋଭିଡ୍‌ ପରବର୍ତ୍ତୀ କାର୍ଯ୍ୟଜୀବନକୁ ନେଇ ବର୍ତ୍ତମାନର ସ୍ଥିତିରେ ନିଜର ମତାମତ ଶେୟାର କରିଛନ୍ତି। ନୂଆ ବ୍ୟବସାୟ ମଡେଲ ଓ କାର୍ଯ୍ୟ ସଂସ୍କୃତିକୁ ଆପଣାଇନେବା ଲାଗି ସେ ଶିଳ୍ପସଂସ୍ଥାକୁ ଆହ୍ବାନ ଦେଇଛନ୍ତି। ଭବିଷ୍ୟତ ସଙ୍କଟରୁ ମୁକୁଳିବାରେ ଏହା ସକ୍ଷମ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।
ତେବେ ଦୀର୍ଘଦିନ ବନ୍ଦ ରହିବା ପରେ ଯେତେବେଳେ ବ୍ୟବସାୟ ପୂରା ଦମ୍‌ରେ ଚାଲିବା ସ୍ଥିତିକୁ ଆସିବ ସେତେବେଳେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ। କରୋନା ମହାମାରୀର ପ୍ରଭାବ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳ ଉପରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଭୂତ ହେବ। ଏହା ସତ୍ତ୍ୱେ ଅଧିକାଂଶ ଶିଳ୍ପସଂସ୍ଥାକୁ ସେମାନଙ୍କ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ପୁନଃ ସକ୍ରିୟ କରିବାକୁ ପଡ଼ିବ। ଦୂରରୁ କାର୍ଯ୍ୟ କରୁଥିବା ଅପେକ୍ଷାକୃତ ଛୋଟ ତଥା ବିଭିନ୍ନ କାର୍ଯ୍ୟ କରିପାରୁଥିବା ଟିମ୍‌ ନେଟ୍‌ଓ୍ବର୍କକୁ ନେଇ ନୂଆ ଢାଞ୍ଚା ପ୍ରସ୍ତୁତ କରିବା ଚ୍ୟାଲେଞ୍ଜ ହେବ ବୋଲି ଆଇସ୍କିଡ୍‌ ସଲ୍ୟୁଶନର ପରିଚାଳନା ନିର୍ଦ୍ଦେଶକ ତଥା ସହପ୍ରତିଷ୍ଠାତା ଯୋଗିତା ତୁଲ୍‌ସିଆନି କହିଛନ୍ତି। ଆମକୁ ବହୁଚ୍ୟାନେଲ ଟିମ୍‌ ଯୋଗାଯୋଗ, ସ୍ପଷ୍ଟ ନିଷ୍ପତ୍ତି ବିନ୍ଦୁ ଓ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ହେବ ବୋଲି ସେ କହିଛନ୍ତି।
ଦୂରରେ ଥାଇ କାର୍ଯ୍ୟ କରିବା ସାମର୍ଥ୍ୟ ବୃଦ୍ଧି ଲାଗି ଅନ୍‌ଲାଇନ ପ୍ରବନ୍ଧ, ସହଯୋଗ ଉପକରଣ, ଉପଯୁକ୍ତ ଚ୍ୟାନେଲରେ ପ୍ରଶିକ୍ଷଣ ଆଦି ଆବଶ୍ୟକ ହେବ। ଉତ୍ପାଦନଶୀଳତା ଲାଗି ନିୟମିତ କାର୍ଯ୍ୟକ୍ରମକୁ କଡ଼ାକଡ଼ି କରାଯିବ। ସେହିପରି ନିର୍ଦ୍ଦେଶ ଦେବା, ଟିମ୍‌କୁ ଉତ୍ସାହିତ କରିବା ଏବଂ ବିନ୍ଦୁକୁ ସଂଯୋଗ କରିବା ଲାଗି ନେତୃତ୍ୱ ଭୂମିକା ବଢ଼ିଯିବ। କାର୍ଯ୍ୟକୁ ଏକ ସମୟରେ କରାଇବା ଓ ପ୍ରତିବନ୍ଧକ ହଟାଇବା ଲାଗି ସମୟାନ୍ତରରେ ବୈଠକ ଏକ ନୂଆ କଥା ହେବ। ଏଥିପାଇଁ ଉପଯୁକ୍ତ ଯୋଗାଯୋଗ ଉପକରଣ, ସବୁସ୍ତରରେ ଫଳାଫଳ କୈନ୍ଦ୍ରିକ ପ୍ରଦର୍ଶନ ପରିଚାଳନା ଆବଶ୍ୟକ ପଡ଼ିବ।
ଲକ୍‌ଡାଉନ ପରେ ଯେଉଁ ଅନୁଷ୍ଠାନଗୁଡ଼ିକ ସେମାନଙ୍କ ଅନ୍ତର୍ଦୃଷ୍ଟି, ଦୂରଦୃଷ୍ଟିକୁ ଉନ୍ନତ କରାଇବା ସହ ନିଜକୁ ବଦଳାଇବେ ସେମାନେ ସଫଳ ହେବେ। ଅର୍ଥନୈତିକ କାର୍ଯ୍ୟଧାରାକୁ ସଜାଡିବା ଲାଗି ନାଗରିକମାନେ ଅଧିକ ସକ୍ରିୟ ଭୂମିକା ନେବା ନିମନ୍ତେ ସରକାର ପ୍ରୋତ୍ସାହିତ କରିପାରନ୍ତି। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକ ଶ୍ରେଣୀଗୃହ ଓ ଦୂରଶିକ୍ଷା ମଧ୍ୟରେ ସମନ୍ବୟ ଲାଗି ଆଧୁନିକୀକରଣ ଉପରେ ବିଚାର କରିବାକୁ ପଡ଼ିବ। ମହାମାରୀ ପରବର୍ତ୍ତୀ ପର୍ଯ୍ୟାୟ ପରିସ୍ଥିତିରୁ ଶିଖିବାର ଏକ ସୁଯୋଗ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Share