ଛଟେଇ ଆଣିବ ଅର୍ଥନୀତିରେ ସୁନାମି

ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଅନ୍‌ ଅଫ୍‌ ସୁଇଚ୍‌ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି ଶେଷ କରିବାକୁ ଚାହୁଁଥିଲେ ଦେଶବାସୀଙ୍କଠାରେ ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଆଣିବା ଦରକାର ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ଏହି ଅବସରରେ ସେ ଜୀବିକା ହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଗରିବଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ଯେପରି ଭାବେ ଛଟେଇ ଚାଲିଛି ତାହା ଆଗକୁ ଅର୍ଥନୀତିରେ ସୁନାମି ଆଣିବ ବୋଲି ସରକାରଙ୍କୁ ଚେତାଇଦେଇଛନ୍ତି ରାହୁଲ।
ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ ଭିଡିଓ କନ୍‌ଫରେନ୍ସ ଜରିଆରେ ଖବରଦାତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଲକ୍‌ଡାଉନ୍‌ କେବଳ ଏକ ବଟମ୍‌ ଦବାଇ ଅନ୍‌ ବା ଅଫ୍‌ କରିବା ଭଳି ନୁହେଁ। ଏଥିରେ ଅନେକ କିଛି କରିବାକୁ ପଡ଼ିଥାଏ। ମହାମାରୀ କରୋନା ବୟସ୍କ ଲୋକ, ଡାଇବେଟିସ୍‌, ହାର୍ଟ ଓ ଫୁସ୍‌ଫୁସ୍‌ ରୋଗୀଙ୍କ ପାଇଁ ଅଧିକ ବିପଜ୍ଜନକ। ଏଥିଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସରକାର ଲକ୍‌ଡାଉନ୍‌ ହଟାଇବାକୁ ଚାହୁଁଥିଲେ ସେମାନଙ୍କଠାରେ ବିଶ୍ୱାସ ଜନ୍ମାଇବା ପାଇଁ ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଆଣିବା ଦରକାର। ସେହିପରି ଦେଶକୁ ବଞ୍ଚାଇବା ଲାଗି ଅର୍ଥନୀତିକୁ ସଜାଡ଼ିବାକୁ ପଡ଼ିବ। ଘରୋଇ ଅର୍ଥନୀତିକୁ ତୁରନ୍ତ ଆରମ୍ଭ କରିବା ଜରୁରୀ। ଯେତିକି ସମୟ ଗଡ଼ିଚାଲିବ ଅର୍ଥନୀତି ସେତିକି ପ୍ରଭାବିତ ହେବ। ନିଯୁକ୍ତିଦାତାମାନଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦେବା ସହ ଚାକିରି ଓ ମଜୁରିର ସୁରକ୍ଷା ଲାଗି ଆର୍ଥିକ ସହାୟତା ଜରୁରୀ। କାରଣ ନିଯୁକ୍ତି କ୍ଷୟ ହେଲେ ସୁନାମି ଆସିବ। କମ୍ପାନୀ ଓ ଶ୍ରମିକମାନଙ୍କୁ ଆସନ୍ତା କାଲି ନୁହେଁ, ଆଜି ହିଁ ଟଙ୍କା ଦରକାର ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଛି। ଅର୍ଥନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ନ ଥାଇ ରାହୁଲ ଏପରି କଥା କହୁଛନ୍ତି। ଚିରସବୁଜ ଯୁବନେତା ୫୦ ବର୍ଷରେ ପାଦ ଦେବାକୁ ବସିଲେଣି ବୋଲି ଭାଜପା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ସମାଲୋଚନା କରିଛନ୍ତି।

Share