ଛଟ୍‌ ପୂଜା ଲାଗି ନଦୀଘାଟ ଉତ୍ସବମୁଖର

ରାଇରଙ୍ଗପୁର, ୩।୧୧ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ଉପକଣ୍ଠ ଖଡ଼ଖାଇ ନଦୀ ଘାଟ ଶନିବାର ବିହାରୀ ସମ୍ପ୍ରଦାୟର ପ୍ରସିଦ୍ଧ ଛଟ୍‌ ପୂଜା ଲାଗି ଉତ୍ସବମୁଖର ହୋଇ ଉଠିଥିଲା। ସ୍ଥାନୀୟ ସହରାଞ୍ଚଳର ବିଭିନ୍ନ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ବ୍ରତଧାରୀ ମହିଳାମାନେ ଖଡ଼ଖାଇ ନଦୀ କଳକୁ ଯାଇ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଦେବଙ୍କୁ ପୁଷ୍ପଦୀପ ଦେଇ ବନ୍ଦାପନା କରିବା ସହ ନୂତନ ଡାଲାରେ କଦଳୀ, ନଡ଼ିଆ, ଆଖୁ ସମେତ ବିଭିନ୍ନ ଫଳ ଏବଂ ପିଠା ରଖି ଭୋଗ ଲଗାଇଥିଲେ। ସେଠାରେ ସୂର୍ଯ୍ୟଦେବଙ୍କ ପ୍ରତିମା ପୂଜା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକ ନବ ଚରଣ ମାଝୀ ଅତିଥି ଭାବେ ଯୋଗ ଦେଇଥିଲେ। ନଦୀଘାଟରେ ଛଟ୍‌ ପୂଜା ପାଳନ ଉପଲକ୍ଷେ ଛଟ୍‌ ପୂଜା କମିଟିର ସଭାପତି ଅଧ୍ୟାପକ ବିଜୟ କୁମାର ରାମ ଏବଂ ସମ୍ପାଦକ ରାଜେଶ କୁମାର ପ୍ରଜାପତିଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରବିବାର ଭୋର୍‌ ସମୟରେ ସୂର୍ଯ୍ୟୋଦ୍ୱୟ ପୂର୍ବରୁ ନଦୀ ଘାଟରେ ବ୍ରତଧାରୀ ମହିଳା ବୁଡ଼ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରି ବ୍ରତ ସମାପନ କରିବେ। ପୋଲିସ ପ୍ରଶାସନ ପକ୍ଷରୁ ସେଠାରେ ଫୋର୍ସ ନିୟୋଜିତ କରାଯାଇଥିଲା।