ଛତିଶଗଡ଼ ଓଡ଼ିଆ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ିବ

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାସହ ଛତିଶଗଡ଼ରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବାକୁ ଯାଉଛନ୍ତି। ମୁଖ୍ୟତଃ ଛତିଶଗଡ଼ର ୧୮୬ଟି ବିଦ୍ୟାଳୟରେ ପାଠ ପଢୁୁଥିବା ଓଡିଆ ପିଲାଙ୍କ ଲାଗି ସରକାର ଗୁରୁତ୍ୱ ଦେଇଛନ୍ତି। ସେହି ସ୍କୁଲଗୁଡ଼ିକରେ ଓଡ଼ିଆ ପଢାଉଥିବା ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ୩ ହଜାର ଟଙ୍କା ଲେଖାଏ ପାରିଶ୍ରମିକ ମିଳୁଥିଲା। ଏବେ ତାହା ୫ହଜାର କରିବା ପାଇଁ ଛତିଶଗଡ଼ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ସବ୍‌କମିଟି-୩ ବୈଠକରେ ନିଷ୍ପତ୍ତି ନିଆଯାଇଛି। କମିଟି ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଉକ୍ତ ୧୮୬ ସ୍କୁଲର ଓଡ଼ିଆ ଶିକ୍ଷକମାନଙ୍କ ପାରିଶ୍ରମିକ ବୃଦ୍ଧି ବାବଦରେ ଦାବି କରାଯିବ। ଏହାସହ ସେହି ଶିକ୍ଷକମାନଙ୍କ ତଦାରଖ କରୁଥିବା ସୁପରଭାଇଜରଙ୍କ ଦରମା ୭ହଜାର ଟଙ୍କା କରିବା ପାଇଁ ମଧ୍ୟ ଜୋର ଦିଆଯିବ। ସରକାର ଛତିଶଗଡ଼ର ସେହି ସ୍କୁଲଗୁଡ଼ିକରେ ପାଠ ପଢୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ପିଲାଙ୍କ ପାଇଁ ପାଠ୍ୟପୁସ୍ତକ ଯୋଗାଇ ଦେଉଛନ୍ତି। ଏହାସହ କମିଟି ତରଫରୁ ଛତିଶଗଡ଼ର ଅଧିକ ସ୍କୁଲରେ ଓଡ଼ିଆ ପଢ଼ାଇବା ଲାଗି ଛତିଶଗଡ଼ ସରକାରଙ୍କୁ କମିଟି ଦାବି କରିଛି। ସେହିପରି ଛତିଶଗଡ଼ ସରକାରଙ୍କୁ ସର୍ବଶିକ୍ଷା ଅଭିଯାନ ଦ୍ୱାରା ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ କମିଟି ଦାବି କରିଥିବାବେଳେ ଏହାକୁ ସେମାନେ ଲାଗୁ କରିବାକୁ ଯାଉଛନ୍ତି ବୋଲି ଶତପଥୀ ସୂଚନା ଦେଇଛନ୍ତି।

Share