ଛତିଶଗଡ଼ ଖୋଲିଲା ୪ ବ୍ୟାରେଜ: ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି

ସମ୍ବଲପୁର,୨୦।୬(ବ୍ୟୁରୋ)-ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରେ କିଛିଦିନ ହେବ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମ୍‌ ଉପରମୁଣ୍ଡରେ ଦୁଇଦିନ ଭିତରେ ୨୪.୯୮ ଓ ୮.୩୪ ମିମି ବର୍ଷା ରେକର୍ଡ କରାଯାଇଛି । ଏହାସହ ଜୁନ ୧୬ରୁ ଛତିଶଗଡ଼ର ୪ଟି ବ୍ୟାରେଜ ଖୋଲା ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡର ବର୍ଷା ଓ ବ୍ୟାରେଜ ଖୋଲାଯାଇଥିବାରୁ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଡ୍ୟାମ୍‌ର ତଳ ଓ ଉପରମୁଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଜଳସ୍ତର ଆହୁରି ବଢ଼ିବ ବୋଲି ଆଶଙ୍କା ରହିଛି । ଏଭଳି ବର୍ଷା ଲାଗି ରହିଲେ ଧାର୍ଯ୍ୟ ସମୟ ଯଥା ପୂର୍ବବର୍ଷ ଭଳି ଜୁଲାଇ ମାସ ପୂର୍ବରୁ ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଡ୍ୟାମ୍‌ରେ ଜଳସ୍ତର ବିଶେଷ ଭାବେ ହ୍ରାସ ପାଇନାହିଁ । ଲକ୍‌ଡାଉନ ଯୋଗୁ ବହୁ କମ୍ପାନୀ ବନ୍ଦ ରହିଛି ା ଫଳରେ ଉକ୍ତ କମ୍ପାନଗୁଡିକ ବ୍ୟବହାର କରୁଥିବା ହୀରାକୁଦ୍‌ ଡ୍ୟାମ୍‌ ଜଳ କମ୍‌ ପରିମାଣରେ ବ୍ୟବହାର କରିଛନ୍ତି । ସେହିପରି ବୁର୍ଲା ଓ ହୀରାକୁଦ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ୪ଟି ୟୁନିଟ ଅଚଳ ରହିଛି। ତଥାପି ଉକ୍ତ କମ୍ପାନୀଗୁଡିକ ବନ୍ଦ ରହିବା କାରଣରୁ ଡ୍ୟାମ୍‌ରୁ ଉତ୍ପାଦିତ ବିଦ୍ୟୁତ୍‌ କମ୍‌ ପରିମାଣରେ ବ୍ୟବହାର ହୋଇଛି ବୋଲି ଜଣାପଡିଛି ା
ଶୁକ୍ରବାର ସକାଳ ୮ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଜଳଭଣ୍ଡାରରେ ୬୧୦.୧୫ ଫୁଟ ଜଳସ୍ତର ରହିଛି । ଗୁରୁବାର ସକାଳେ ୬୦୮.୯୧ ଫୁଟ ଜଳସ୍ତର ରହିଥିଲା । ୨୪ ଘଣ୍ଟାରେ ପ୍ରାୟ ଦେଢ଼ଫୁଟ ଜଳସ୍ତର ବୃଦ୍ଧି ହୋଇଛି । ହେଲେ ଜଳଭଣ୍ଡାରକୁ ୬୯. ୦୬୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି । ୧୫ହଜାର ୧୮୦ କ୍ୟୁସେକ ପାଣି ନିଷ୍କାସନ କରାଯାଉଛି । ଉପରମୁଣ୍ଡରେ ୮.୩୬ ମିମି ବର୍ଷା ହୋଇଥିବା ବେଳେ ତଳମୁଣ୍ଡରେ ୦.୩୪ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ବୁର୍ଲା ପାୱାର ହାଉସରେ ୮୭.୮୩୩ ଓ ଚିପିଲିମା ପାୱାର ହାଉସରେ ୪୨.୮୭୫ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ହୋଇଛି । ଏଥିପାଇଁ ଡ୍ୟାମରୁ ଜଳ ଯୋଗାଇ ଦିଆଯାଉଛି ।

Share