ଛତିଶଗଡ଼ ପୋଲିସର ଦାଦାଗିରି ଅଭିଯୋଗ: ଧାରଣାରେ ବସିଲେ ସୀମାନ୍ତବାସୀ

ଲଖନପୁର,୧୧।୧୨(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ କନକତୋର ବାବୁଖାରୀ ନିକଟରୁ ଗତ ଶନିବାର ଛତିଶଗଡ଼ ପୋଲିସ ବଳପୂର୍ବକ ଏକ ଧାନ ବୋଝେଇ ଗାଡ଼ି ସହ ମନୋଜ ମେହେର ନାମକ ଜଣେ ଭାଗ ଚାଷୀଙ୍କୁ ରାୟଗଡ ଝୁଟମିଲ ଥାନାକୁ ଉଠାଇ ନେଇଥିଲେ । ଏହା ଛତିଶଗଡ଼ ପୋଲିସର ଦାଦାଗିରି ବୋଲି ସୀମାନ୍ତବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସୀମାନ୍ତବାସୀ ବୁଧବାର ପୂର୍ବାହ୍ନରେ ଏକତାଳ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଛନ୍ତି । ଫଳରେ ରାସ୍ତାରେ ଯାନବାହନ ଅଟକି ରହିଛି। ଛତିଶଗଡ଼ ପୋଲିସ ଧାନ ବୋଝେଇ ଗାଡ଼ି ନ ଛାଡିଲେ ଛତିଶଗଡ଼ ଗାଡ଼ିକୁ ଓଡ଼ିଶାରେ ପ୍ରବେଶ କରାଇ ଦିଆଯିବନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ସୀମାନ୍ତବର୍ତ୍ତୀ ଚାଷୀଙ୍କ ଏଭଳି ଆନ୍ଦୋଳନକୁ ସମର୍ଥନ ଜଣାଇ ଭାଜପା ନେତୃବୃନ୍ଦ ମାନେ ଧାରଣାରେ ସାମିଲ ହୋଇଛନ୍ତି।