ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବୁଧବାର ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଥିବା ଏହି ବୈଠକରେ ମକର ସଂକ୍ରାନ୍ତି, ସୂର୍ଯ୍ୟୋପରାଗ ଏବଂ ନୂଆବର୍ଷର ନୀତିକାନ୍ତି ସଂକ୍ରାନ୍ତରେ ଆଲୋଚନା ହେବ। ମୁଖ୍ୟ ପ୍ରଶାସକ କ୍ରିଶନ କୁମାର, ଜିଲାପାଳ ବନଓ୍ବନ୍ତ ସିଂ, ଏସପି ଉମାଶଙ୍କର ଦାସ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଛତିଶା ନିଯୋଗ ନାୟକ, ଜନାର୍ଦ୍ଧନ ପାଟ୍ଟଜୋଶୀ ମହାପାତ୍ର ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି।
ଶ୍ରୀମନ୍ଦିରରେ ଗତ ସୋମବାରଠାରୁ ପହିଲି ଭୋଗ ଆରମ୍ଭ ହୋଇଯାଇଛି। କିନ୍ତୁ ଏହା ମାସେ ପର୍ଯ୍ୟନ୍ତ ଚାଲିବ। ନୀତି ସବ୍କମିଟିରେ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଛତିଶା ନିଯୋଗ ବୈଠକରେ ଏହା ଉପରେ ଆଲୋଚନା କରାଯିବ। ଏହିସବୁ ସ୍ବତନ୍ତ୍ର ଦିନଗୁଡ଼ିକରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କିଭଳି ରହିବ, ଠିକ୍ ସମୟରେ ଠାକୁରଙ୍କ ନୀତିକାନ୍ତି ବିଷୟରେ ତର୍ଜମା କରାଯିବ। ସେହିପରି ଆସନ୍ତା ୨୬ ତାରିଖରେ ସୂର୍ଯ୍ୟୋପରାଗ। ନୀତି ସବ୍ କମିଟିରେ ସୂର୍ଯ୍ୟୋପରାଗ ପାଇଁ ସ୍ବତନ୍ତ୍ର ନୀତି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲେ ମଧ୍ୟ ଛତିଶା ନିଯୋଗ ଏବଂ ପରିଚାଳନା କମିଟିରେ ଏଥିରେ ମୋହର ଲଗାଯିବ। ସେହିପରି ନୂଆବର୍ଷରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରକୁ ଆସିବାକୁ ଥିବାରୁ ଠାକୁରଙ୍କ ନୀତିକାନ୍ତି ଏବଂ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳା ନେଇ ତର୍ଜମା କରାଯିବ। ଏହିସବୁ ଦୃଷ୍ଟିକୋଣରୁ ଛତିଶା ନିଯୋଗ ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି।