ଛତ୍ରପୁରରେ ମାନବ ଶୃଙ୍ଖଳ ରକ୍ଷା କରି ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଛତ୍ରପୁର,୨୯ା୫(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟା ୫.୩୦ରେ କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟା ୫.୩୦ରେ ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ସହରର ରିକାପଲି ଛକଠାରୁ ଅପରବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ମାନବ ଶୃଙ୍ଖଳ ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ। ଏନେଇ ଶୁକ୍ରବାର ଛତ୍ରପୁର ଥାନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ସମସ୍ତ ବ୍ୟବସାୟିକ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଯୋଗ ଦେଇ ଏହି ମାନବ ଶୃଙ୍ଖଳରେ ସାମିଲ ହେବାକୁ ସମ୍ମତି ଜଣାଇଥିଲେ। ତେବେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଆଜି ସନ୍ଧ୍ୟାରେ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ସୂଚନା ଦିଆଯାଇଛି।