Categories: ଗଞ୍ଜାମ

ଛତ୍ରପୁର ମହୋତ୍ସବ ଉଦ୍‌ଯାପିତ

ଛତ୍ରପୁର୯ା୧୨(ଡି.ଏନ୍‌.ଏ.)-ଗତ ୫ଦିନ ଧରି ସ୍ଥାନୀୟ ଷ୍ଟାଡିୟମଠାରେ ଚାଲିଥିବା ଛତ୍ରପୁର ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି । ରବିବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ  । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅଶୋକ ଚୌଧୁରୀ, ଏନ୍‌. ନାରାୟଣ ରେଡ୍ଡୀ, ବିଡିଏର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା, ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ (ସଂସ୍କୃତି) କୃଷ୍ଣଚନ୍ଦ୍ର ନିଶଙ୍କ, ପ୍ରଫୁଲ୍ଲ ପଟ୍ଟନାୟକ, କଳାବିକାଶ କେନ୍ଦ୍ରର ସଭାପତି ଆର୍‌. ସି. ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ସଂଯୋଜନା କରିଥିଲେ । ଏହି ଅବସରରେ ତାମ୍ପରା ପର୍ଯ୍ୟଟନସ୍ଥଳୀର କେୟାରଟେକର କାଳୁ ଚରଣ ତ୍ରିପାଠୀ, ରାମ ଲୀଳା ପାଇଁ ସାନଖେମୁଣ୍ଡି ବ୍ଲକର ଗୁରୁ ଶ୍ୟାମସୁନ୍ଦର ପାଣିଗ୍ରାହୀ ଓ ସଖିନାଚ ପାଇଁ ଭଞ୍ଜନଗର ବ୍ଲକର ଗୁରୁ କାଳୁ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। କୁକୁଡାଖଣ୍ଡିର ଜି. ହରିବନ୍ଧୁ ଓ ତାଙ୍କ ଗ୍ରୁପ୍‌ ପକ୍ଷରୁ କୃଷ୍ଣ ଲୀଳା, ନରେନ୍ଦ୍ରପୁରସ୍ଥିତ ଗାୟତ୍ରୀ ଯୁଗଳ ଶଙ୍ଖ ଧ୍ୱନି ପକ୍ଷରୁ ଯୋଡି ଶଙ୍ଖ, ଦିଗପହଣ୍ଡିର ବିଚିତ୍ରା ବର୍ଣ୍ଣାଳି ନାଟ୍ୟ ସଂସଦ ପକ୍ଷରୁ ଘୁଡୁକି ନାଚ, ବ୍ରହ୍ମପୁର ରିୟଲ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମଡର୍ନ ଡ୍ୟାନ୍ସ, ବ୍ରହ୍ମପୁର ଆରାଧ୍ୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ଡ୍ୟାନ୍ସ, ଛତ୍ରପୁର ଲିଟିଲ୍‌ ଡାଇମଣ୍ଡ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମଡର୍ନ ଡ୍ୟାନ୍ସ, ଆର୍ଜେଣ୍ଟିନାର ଆନନ୍ଦିନୀ ଦାସି,ଓ ଅରୁଣ ପ୍ରଧାନଙ୍କ ପକ୍ଷରୁ ଓଡିଶୀ ଡ୍ୟାନ୍ସ, ବ୍ରହ୍ମପୁରର ଅଙ୍ଗାହାର ନୃତ୍ୟୟନ ପକ୍ଷରୁ ଓଡିଶୀ ନୃତ୍ୟ ଓ ବ୍ରହ୍ମପୁର ରକ୍‌ଷ୍ଟାର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ତେଲୁଗୁ ଲୋକ ନୃତ୍ୟ ପରିବେଷଣ ହୋଇଥିଲା। ଶେଷରେ ଋତୁରାଜ ମହାନ୍ତି ଓ ତାଙ୍କ ଗ୍ରୁପ୍‌ ପକ୍ଷରୁ ମେଗା ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।