Categories: ଗଞ୍ଜାମ

ଛତ୍ରପୁର ହସ୍ପିଟାଲରେ ଟ୍ୟୁମର ଅପରେଶନ ହେଲାନି: ନିରାଶରେ ଘରକୁ ଫେରିଲେ ସୀତାମ୍ମା

ଛତ୍ରପୁର,୨୧ା୧୧(ଡି.ଏନ୍‌.ଏ.)-ଛତ୍ରପୁର ହସ୍ପିଟାଲରେ ଟ୍ୟୁମର ଅପରେଶନ ନ ହେବାରୁ ଜଣେ ମହିଳା ଗୁରୁବାର ନିରାଶରେ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଆନାସ୍ଥେସିଆ ବିଶେଷଜ୍ଞ ନ ଥିବାରୁ ତାଙ୍କୁ ଫେରାଇ ଦିଆଯାଇଛି। ଆନାସ୍ଥେସିଆ ଡାକ୍ତର ନ ଥିଲେ ଅନ୍‌ କଲ୍‌ରେ ଆଣି ଅପରେଶନ କରାଇବା ନିୟମ ଥିଲେ ମଧ୍ୟ ଛତ୍ରପୁର ହସ୍ପିଟାଲରେ ଏପରି କରାଯାଇନି। ଯଦ୍ୱାରା ସର୍ଜରୀ ଓ ଜେନେରାଲ ୱାର୍ଡରେ ରୋଗୀ ସଂଖ୍ୟା କମିବାରେ ଲାଗିଛି ା
ଛତ୍ରପୁର ପୁତ୍ତିଗୋପାଳପୁରର ମହିଳା ଶ୍ରମିକ ପି. ସୀତାମ୍ମା ହସ୍ପିଟାଲକୁ ନିଜ ରୋଗ ପରୀକ୍ଷା କରାଇବାକୁ ଆସିଥିଲେ। ହସ୍ପିଟାଲରେ ସୁବିଧା ନ ଥିବାରୁ ବାହାରେ ଟଙ୍କା ଦେଇ ଅଲଟ୍ରାସାଉଣ୍ଡ କରାଇଥିଲେ ା ତାଙ୍କ ପେଟରେ ଟ୍ୟୁମର ହୋଇଥିବା ଜଣାପଡିଥିଲା। ଟ୍ୟୁମର ଅପରେଶନ ଜରୁରୀ ଥିବାରୁ ଛତ୍ରପୁର ହସ୍ପିଟାଲକୁ ଯାଇଥିଲେ। ଛତ୍ରପୁରରେ ଅତ୍ୟାଧୁନିକ ଅପରେଶନ ଥିଏଟର ରହିଛି ା ସର୍ଜରୀ ସ୍ପେଶାଲିଷ୍ଟ ମଧ୍ୟ ଅଛନ୍ତି। ହେଲେ ଟ୍ୟୁମର ଅପରେଶନ ହୋଇ ପାରିବନି ବୋଲି ସୀତାମ୍ମାଙ୍କୁ ଡାକ୍ତର ଗୁରୁବାର କହିଥିଲେ ା ସୀତାମ୍ମା ଏ ସମ୍ପର୍କରେ ଛତ୍ରପୁର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କାହ୍ନୁ ଚରଣ ପାତ୍ରଙ୍କୁ ଜଣାଇଥିଲେ ା ହସ୍ପିଟାଲରେ ଆନାସ୍ଥେସିଆ ବିଶେଷଜ୍ଞ ନ ଥିବାରୁ ଏଭଳି ଅପରେଶନ ହୋଇପାରିବନି ବୋଲି ସୁପରିଣ୍ଟେଣ୍ଡେଣ୍ଟ କହିଥିଲେ। ପରେ ସୀତାମ୍ମା ଏ ସମ୍ପର୍କରେ ଉପଜିଲାପାଳ ଓ ଜିଲାପାଳଙ୍କୁ ଜଣାଇବାକୁ ଯାଇଥିଲେ ା ଉଭୟେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ଫଳରେ ସୀତାମ୍ମା କାନ୍ଦି କାନ୍ଦି ଘରକୁ ନିରାଶରେ ଫେରିଥିଲେ।