ଛତ୍ରପୁର ହସ୍ପିଟାଲ ପ୍ରତି ଅବହେଳା ଅଭିଯୋଗ

ଛତ୍ରପୁର,୫ା୮(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୦୦ ନୂଆ ଜୁନିୟର ଡାକ୍ତର ପଦବୀ ସୃଷ୍ଟି ହୋଇଛି। ଏହାକୁ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତିି। ଏନେଇ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ପାଇଁ ଉକ୍ତ ନୂତନ ପଦବୀରୁ ଗୋଟିଏ ମଧ୍ୟ ନିଯୁକ୍ତି ବ୍ୟବସ୍ଥା ନ ଥିବା ତାଲିକାରୁ ଜଣାପଡିଛି। ଏନେଇ ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ପୁଣି ଅବହେଳା କରାଯାଇଥିବା ନେଇ ମଣ୍ଡଳ ଭାଜପା ସଭାପତି ତଥା ଓକିଲ ପ୍ରଦୀପ ପାଢୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଛତ୍ରପୁର ହସ୍ପିଟାଲରେ ୨୨ ଡାକ୍ତର ରହିବା ବଦଳରେ ମାତ୍ର ୮ ଜଣ ଅଛନ୍ତି। ଏଣୁ ଏଠାରେ ନୂତନ ଡାକ୍ତର ନିଯୁକ୍ତି ହେଲେ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ସେ ଦାବି କରିଛନ୍ତିି। ଉକ୍ତ ୮ ଙ୍କ ମଧ୍ୟରେ ଜଣେ ସିନିୟର ଡାକ୍ତର ଓ ଅନ୍ୟ ୭ ସ୍ପେଶାଲିଷ୍ଟ ରହିଛନ୍ତି। ମିଳିିଥିବା ସୂଚନା ଅନୁସାରେ, ୧୨ ଜୁନିୟର ଡାକ୍ତର ଓ ୧୦ ସ୍ପେଶାଲିଷ୍ଟ ରହିବା କଥା। ମାତ୍ର ଛତ୍ରପୁର ହସ୍ପିଟାଲରେ ଜଣେ ମଧ୍ୟ ଜୁନିୟର ଡାକ୍ତର ନାହାନ୍ତି। ଜୁନିୟର ଡାକ୍ତର ନିଯୁକ୍ତ ହେଲେ ଛତ୍ରପୁର ହସ୍ପିଟାଲରେ ଲାଗି ରହିଥିବା ଡାକ୍ତର ସମସ୍ୟା ଦୂର ହୋଇପାରିବ ବୋଲି ଓକିଲ ପାଢୀ କହଛନ୍ତି। ଏବେ ଜିଲାରେ ଛତ୍ରପୁର ଓ ଭଞ୍ଜନଗରରେ ଉପଖଣ୍ଡ ହସ୍ପିଟାଲ, ବ୍ରହ୍ମପୁରରେ ହେଡକ୍ୱାର୍ଟର ହସ୍ପିଟାଲ ତଥା ସିଟି ହସ୍ପିଟାଲ ରହିଛି। ଏଥିସହ ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଜିଲାର ଆସିକା ଓ ହିଞ୍ଜିଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ହସ୍ପିଟାଲ ମାନ୍ୟତା ଦେଇ ଏଠାରେ ଡାକ୍ତର ପଦବୀ ପୂରଣ ପାଇଁ ନୂତନ ଭାବେ ସୃଷ୍ଟି ହୋଇଥିବା ୨୦୦୦ ଡାକ୍ତର ପଦବୀରେ ବ୍ୟବସ୍ଥା କରାଯାଇଛି। ଉକ୍ତ ତାଲିକାରୁ ମିଳିଥିବା ସୂଚନା ଅନୁସାରେ ଆସିକା ଉପଖଣ୍ଡ ହସ୍ପିଟାଲ ପାଇଁ ୧୨ ଓ ହିଞ୍ଜିଳି ଉପଖଣ୍ଡ ହସ୍ପିଟାଲ ପାଇଁ ୧୩ ଜୁନିୟର ଡାକ୍ତର ପଦବୀ ସୃଷ୍ଟି ହୋଇଛି। ସେହିପରି ବରିଡା, ସୁନାଥର ଓ ହୁଗୁଳାପଟା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ନୂଆ) ପାଇଁ ଗୋଟିଏ ଲେଖାଏ ଜୁନିୟର ଡାକ୍ତର ପଦବୀ ସୃଷ୍ଟି ହୋଇଛି।