ଭଲ ମଣିଷ ଭିତରେ ଯେଉଁମାନଙ୍କ ପାଖରେ ସୃଜନଶୀଳତା ଥାଏ ସେମାନେ ସଂସାର ଭିତରେ କମ୍ ସମୟ ରହିଥାଆନ୍ତି। ତାଙ୍କର ସୀମିତ ପରିସୀମା ମଧ୍ୟରେ ସେମାନଙ୍କର ସୃଜନଶୀଳତାକୁ ନେଇ ସାଧାରଣରେ ଚର୍ଚ୍ଚା ହୁଏ। ଏପରି କିଛି ନୂତନତାର ସ୍ବାଦ ସାଧାରଣରେ ଚର୍ଚ୍ଚା ହୁଏ। ଆଉ ସେହି ମୂଲ୍ୟବୋଧକୁ ସାଇତି ରଖି ସେମାନେ ସୁନାମ ସାଉଁଟିଥାଆନ୍ତି। ଆଉ ଏପରି ଜଣେ ଚିତ୍ରଗ୍ରହଣକାରୀ ହେଲେ କାଳୀ ପ୍ରସାଦ ମିଶ୍ର। ଓଡ଼ିଆ ଚଳଚ୍ଚିତ୍ରରେ ସ୍ଥିର ଚିତ୍ର ଗ୍ରହଣ କରିବା ଦିଗରେ ସେ ଥିଲେ ଅନ୍ୟତମ ପ୍ରତିଭା। ତାଙ୍କ ଦ୍ୱାରା ଉତ୍ତୋଳିତ ଛବି ଦେଖିଲେ ସେଗୁଡିକ ସତେ ଯେମିତି କଥା କହୁଥିବା ପରି ଲାଗିଥାଏ। ସ୍ଥିର ଫଟୋଗ୍ରାଫି ତାଙ୍କର ପେସା ଥିଲା। ଦେଶ ବିଦେଶରେ ଫଟୋଗ୍ରାଫି ଉପରେ ଯାହା କିଛି ପୁସ୍ତକ ପ୍ରକାଶ ପାଏ ତାହାକୁ କାଳୀବାବୁ ମଗାଇ ତାଙ୍କ ପାଠାଗାରରେ ରଖନ୍ତି। ବ୍ୟାଙ୍କରେ ଚାକିରି କରିଥିଲେ ସେ। ହେଲେ ଫଟୋ ନିଶାରେ ସେ ଏମିତି ମାତିଯାଇଥିଲେ ଯେ ସୃଜନଶୀଳତାର ପ୍ରଭାବ ତାଙ୍କ ଫଟୋରେ ପ୍ରକାଶିତ ହେଉଥିଲା। ପର୍ଯ୍ୟଟନ ବିଭାଗର ଏକ ପୁସ୍ତକରେ ଜଗନ୍ନାଥଙ୍କ ସମ୍ପର୍କିତ ବହୁତ ଫଟୋ ସେ ଉଠାଇଥିଲେ, ଯାହାକି ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିଥିଲା। ଫଟୋ ମାଧ୍ୟମରେ ନୂଆ କିଛି ପରିକଳ୍ପନା କରିବା ଥିଲା ତାଙ୍କର ଗବେଷଣା। ଭଲ ଭଲ କ୍ୟାମେରା ମାଧ୍ୟମରେ ସେ ଫଟୋରେ ଚରିତ୍ରଟିକୁ ବେଶ୍ ଜୀବନ୍ତ ଭାବରେ ଫୁଟାଇ ପାରୁଥିଲେ। କେବଳ ଫଟୋ ନିଶାରେ ନିଶାଗ୍ରସ୍ତ କାଳୀବାବୁଙ୍କ ମରଶରୀର ସ୍ବର୍ଗଦ୍ୱାରରେ ଲୀନ ହେଲା ସତ ହେଲେ ତାଙ୍କର ପ୍ରତିଟି ଫଟୋ ଆଜି ବି ଜୀବନ୍ତ। ଜଣେ ସଫଳ ଚିତ୍ରଗ୍ରହଣକାରୀ ଚରିତ୍ରମାନଙ୍କୁ ତାଙ୍କ ଦୃଷ୍ଟିକୋଣରୁ ବିଚାର କରି ସାଧାରଣରେ ଫଟୋଟିକୁ ପ୍ରକାଶ କରି ସେ ଅନ୍ୟମାନଙ୍କୁ ଯେଉଁ ଆନନ୍ଦ ଦେଉଥିଲେ ତାହା ଆଜି ନିସ୍ତବ୍ଧ ପାଲଟି ଗଲା। ଜଡବସ୍ତୁକୁ ଜୀବନ୍ତ କରୁଥିବା ଚିତ୍ରଗ୍ରହଣକାରୀ ନିଜେ ଫଟୋ ମଧ୍ୟରେ ସୀମିତ ହୋଇଗଲେ। ଓଡ଼ିଶାରେ ଖୁବ୍ କମ୍ ଫଟୋଗ୍ରାଫର ଅଛନ୍ତି ଯେଉଁମାନଙ୍କର କାର୍ଯ୍ୟଶୈଳୀ ସେମାନଙ୍କର ଦେହାନ୍ତ ପରେ ବି ଜୀବନ୍ତ ହୋଇରହିଛି। କାଳୀପ୍ରସାଦଙ୍କ ଫଟୋସମୂହକୁ ନେଇ ଏକକ ଫଟୋ ପ୍ରଦର୍ଶନୀ ନିମନ୍ତେ ମୁଁ ଅନେକ ଥର କାଳୀବାବୁଙ୍କୁ କହିଛି। ସେ ସବୁବେଳେ ଉତ୍ତର ଦିଅନ୍ତି ‘ନିଶ୍ଚୟ କରିବା’। ସେହି କଥା ଆଜି ନୀରବ ହୋଇଗଲା। କଥା କଥାରେ ରହିଗଲା। କଥାରେ ଅଛି-‘ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି’।