ଛାତରୁ ଠେଲି ବୃଦ୍ଧଙ୍କୁ ହତ୍ୟା: ଦମ୍ପତି ଅଟକ

ପୁରୀ ଅଫିସ,୫।୧: ପୁରୀ ଟାଉନ ଥାନା ଅଧୀନ ପଥୁରିଆ ସାହିରେ ରବିବାର ପୂର୍ବାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନାରାୟଣ ମହାରଣା(୭୫)। ଘର ଭଡ଼ାକୁ କେନ୍ଦ୍ରକରି ଭଡ଼ାଟିଆ ଦମ୍ପତି ନାରାୟଣଙ୍କୁ ଛାତରୁ ଠେଲି ହତ୍ୟା କରିଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ଦମ୍ପତିଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନଙ୍କ ଗିରଫ ଦାବିରେ ସାହି ବାସିନ୍ଦା ଥାନା ଘେରାଉ କରିଛନ୍ତି ।
ସୂଚନାଯୋଗ୍ୟ, ଅଟକ ଦମ୍ପତି ଦୀର୍ଘଦିନ ଧରି ଭଡାସୂତ୍ରରେ ନାରାୟଣଙ୍କ ଘରେ ରହୁଥିଲେ। ତେବେ ଭଡ଼ା ଟଙ୍କା ଦେଉ ନ ଥିବାରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ପୂର୍ବରୁ ଘର ଖାଲି କରିବାକୁ ପୋଲିସ ଓ ସାହି ପଡ଼ିଶା ଲୋକଙ୍କ ଉପସ୍ଥିତିରେ ବୁଝାମଣା ହୋଇଥିଲା। ଘର ଛାଡିବାକୁ ଦମ୍ପତି ୫ମାସ ସମୟ ନେଇଥିଲେ । ମାତ୍ର ରବିବାର ପୂର୍ବାହ୍ନରେ ଭଡ଼ାରେ ରହୁଥିବା ଦମ୍ପତି ନାରାୟଣଙ୍କୁ ଠେଲି ଦେଇଥିଲେ। ନାରାୟଣଙ୍କ ପାଟି ଶୁଣି ସାହି ପଡ଼ିଶା ପହଞ୍ଚିବା ବେଳେ ସେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Share