ଛାତିରୁ ଅଲଗା ହେଲା ମୁହଁ

କଟକ ଅଫିସ,୧୮ା୪: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ବାଳିକାଙ୍କ ଛାତିରୁ ମୁହଁକୁ ଅଲଗା କରାଯାଇଛି। ବାଳିକା ଜଣଙ୍କ ଦୁର୍ଭାଗ୍ୟବଶତଃ ପୋଡ଼ି ହୋଇଯାଇଥିଲେ। ଯେଉଁଥିରେ ତାଙ୍କ ମୁହଁର ତଳ ପାର୍ଶ୍ୱ ଛାତିରେ ଲାଗିଯାଇଥିଲା।
କରୋନାଜନିତ ଚିନ୍ତାରେ ସମଗ୍ର ରାଜ୍ୟ ବ୍ୟଥିତ ହେଉଥିବାବେଳେ ଏସ୍‌ସିବି ମେଡିିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ଏକ ସଫଳପୂର୍ଣ୍ଣ ଅସ୍ତ୍ରୋପଚାର କରିଛନ୍ତି। ସୂଚନା ମୁତାବକ, ଗଞ୍ଜାମ ଜିଲା ଆସ୍କା ଥାନା ଅନ୍ତର୍ଗତ ବଡ଼ଖୋଲି ଗ୍ରାମର ପୂଜା ସେଠୀ (୧୪) କିଛି ମାସ ତଳେ ପୋଡ଼ି ହୋଇଯାଇଥିଲେ। ସନ୍ଧ୍ୟା ଦୀପ ଲଗାଉଥିବାବେଳେ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ଗୁରୁତର ଅବସ୍ଥାରେ ପୂଜାଙ୍କୁ ପ୍ରଥମେ ଆସ୍କା ଡାକ୍ତଖାନା ଏବଂ ପରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଡାକ୍ତରମାନେ ତାଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତରିତ କରିଥିଲେ। ଏସ୍‌ସିବି ମେଡିକାଲରେ ଦୀର୍ଘ ଦିନ ଧରି ଚିକିତ୍ସା ହେବା ପରେ ଗତ ଜାନୁୟାରୀ ମାସରେ ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଗତ ୬ତାରିଖରେ ପ୍ରଫେସର ବିଭୂତି ଭୂଷଣ ପଟ୍ଟନାୟକଙ୍କ ନେତୃତ୍ୱରେ ଡା. ଆଶିଷ ପଟ୍ଟନାୟକ, ଡା. ରଶ୍ମିରଞ୍ଜନ ମହାନ୍ତି, ଡା. ଦୀପକ ସାହୁ, ଡା. ମହେଶ ମଣ୍ଡଳ, ଏବଂ ଡା. ରୋଜାଲିନ ମିଶ୍ର ସଫଳତାର ସହ ଏହି ଅସ୍ତ୍ରୋପଚାର କରିଥିଲେ।

Share