ଛାତ୍ରଙ୍କ ଅଜାଣତରେ କଲେଜ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇବା ଘଟଣା: ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କଲେ ଜିଲାପାଳ

ବାରିପଦା ଅଫିସ,୨୫ା୯- ମୟୂରଭଞ୍ଜ ଜିଲା ଚିତ୍ରଡା ସ୍ଥିତ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ଅଜାଣତରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇ ଆଣିବା ଘଟଣା ପଦାକୁ ଆସିଛି। ପ୍ରବଳ ବର୍ଷା ସତ୍ତ୍ୱେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ର ବାରିପଦାକୁ ୪୦ କି.ମି ଚାଲି ଚାଲି ଆସି ମଙ୍ଗଳବାର ଅପରାହ୍ନରେ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଜିଲାପାଳ ବିନୀତ ଭରଦ୍ୱାଜ, ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ସେମାନଙ୍କ ସହ ଆଲୋଚନା କରିଥିଲେ। ପୋଲିସ ବିଭାଗର ତଦନ୍ତ ବ୍ୟତୀତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରାଯାଇଛି ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି । ଏହି ଟିମ୍‌ରେ ଉପଜିଲାପାଳ, ଜିଲା ନିୟୋଜନ ଅଧିକାରୀ ଓ ପଲିଟେକ୍ନିକ କଲେଜର ଅଧ୍ୟକ୍ଷ ରହିବେ। ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି। ଏହି ଘଟଣାରେ ମୋରଡା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୮ ଟା ବେଳେ ବର୍ଷାରେ ଭିଜି ଭିଜି କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିବାକୁ ପ୍ରାୟ ୭୦ ଜଣ ଛାତ୍ର ଚାଲି ଚାଲି ପ୍ରାୟ ୮ କିମି ଦୂର ମୋରଡା ଥାନା ଅଭିମୁଖେ ବାହାରିଥିଲେ। ସେମାନଙ୍କ ଅଭିଯୋଗ ମୁତାବକ କଲେଜରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କ ନାମରେ କଲେଜ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇ ନେଇଛନ୍ତି। ସୋମବାର ସମସ୍ତ ଛାତ୍ରୀଛାତ୍ର ବ୍ୟାଙ୍କକୁ ଯାଇ ପଚାରି ବୁଝିଥିଲେ। ବ୍ୟାଙ୍କ ଅଧିକାରୀ ୧୬ ଜଣ ଛାତ୍ରଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ବାହାର କରିଥିବା ବେଳେ ସମସ୍ତଙ୍କ ନାମରେ ଋଣ ହୋଇଥିବା ଛାତ୍ରୀଛାତ୍ର ଜାଣିବାକୁ ପାଇଥିଲେ। ଏନେଇ ସେମାନେ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ପାଇପାରି ନ ଥିଲେ। ପରେ ସେମାନେ ମୋରଡା ଥାନାକୁ ଯାଇ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ମଙ୍ଗଳବାର ସକାଳେ ବେତନଟୀ ଏସଡିପିଓ ଏଲ.କେ. ପଟ୍ଟନାୟକ ବାରିପଦା ସହରସ୍ଥିତ ଏକ ବ୍ୟାଙ୍କକୁ ଆସି ତଦନ୍ତ କରିଛନ୍ତି। ତଦନ୍ତ ବେଳେ ଛାତ୍ରମାନଙ୍କ ନାମରେ ଋଣ ହୋଇଥିବା ଜଣାପଡ଼ିଛି। ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ମତାମତ ଦେବେ ବୋଲି ଏସଡିପିଓ ପଟ୍ଟନାୟକ କହିଛନ୍ତି !