ଛାତ୍ରୀଙ୍କୁ ଅସଦାଚରଣ, ବିଦ୍ୟାଳୟରେ ଉତ୍ତେଜନା

ବୈଶିଙ୍ଗା,୧ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଏକ ହାଇସ୍କୁଲର ଜନୈକା ଦଶମଶ୍ରେଣୀ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଥାନାରେ ଏକ ମାମଲା(ନଂ. ୨୪୪/୧୯) ରୁଜୁ ହୋଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣା ଜଣାପଡ଼ିବା ପରେ ଗୁରୁବାର ଶତାଧିକ ଜନସାଧାରଣ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ରୁଣ୍ଡହୋଇ ପାଟିତୁଣ୍ଡ କରିଥିଲେ। ବୈଶିଙ୍ଗା ପୋଲିସ ଏକ ସେକ୍ସନ ପୋଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରି ଗ୍ରାମବାସୀ ଧାରଣାରେ ବସିଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ବିଦ୍ୟାଳୟ ଗୃହର ଉପରତାଲାରେ ଥିବା ହଷ୍ଟେଲରେ ପ୍ରାୟ ଶହେ ଜଣ ଛାତ୍ରୀ ରୁହନ୍ତି। ବିଦ୍ୟାଳୟ ସଂଲଗ୍ନ ବାସଗୃହରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କର ପରିବାର ନେଇ ରହିଥାନ୍ତି। ଗତ ୨୯ ତାରିଖ ସନ୍ଧ୍ୟାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ପୀଡ଼ିତା ଛାତ୍ରୀଙ୍କୁ ଉପରତାଲା ଛାତ ଉପରକୁ ଡାକିନେଇ ଥିଲେ। ସେ ମନ୍ଦିରରୁ ଅରୁଆ ଚାଉଳ ଓ ଚନ୍ଦନ ଆଣିଛନ୍ତି। ଏହାକୁ ଦେହରେ ବୋଳି ହେଲେ ମାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉର୍ତ୍ତୀଣ୍ଣ ହେବୁ କହି ଛାତ୍ରୀଙ୍କ ଦେହରେ ବୋଳି ଅସଦାଚରଣ କରିଥିଲେ। ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସେ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ଫେରାର ହୋଇଯାଇଥିବା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲେଇ କହିଛନ୍ତି।