ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ଗିରଫ

ବନ୍ତ,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଏକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଶିକ୍ଷକ ହେଲେ ସେହି ଅଞ୍ଚଳର ସଜୀବ ଦାସ। ଏ ନେଇ ପୋଲିସ ଏକ ମାମଲା(ନଂ.୧୪/୨୦) ରୁଜୁ କରିଛି।
ଅଭିଯୋଗରୁ ପ୍ରକାଶ ଯେ, ଗତ ଗୁରୁବାର ସମ୍ପୃକ୍ତ ଛାତ୍ରୀଙ୍କୁ ସହାୟକ ଶିକ୍ଷକ ସଜୀବ ଅସଦାଚରଣ କରିବା ପରେ ଏକଥା କାହାକୁ ନ କହିବା ପାଇଁ ଧମକ ଦେଇଥିଲେ। ଛାତ୍ରୀ ଜଣଙ୍କ ଭୟଭୀତ ହୋଇ ଏ ସମ୍ପର୍କରେ କାହାକୁ କହି ନ ଥିଲେ। ଝିଅ ଦୁଇଦିନ ଧରି ବିଦ୍ୟାଳୟକୁ ନ ଯିବାରୁ ପରିବାର ଲୋକେ କାରଣ ପଚାରିଥିଲେ। ଛାତ୍ରୀ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ମା’ ଶନିବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସଜୀବଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।