ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇଲେ ଜିଲାପାଳ

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ସ୍ଥାନୀୟ ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ସୋମବାର ଉଦ୍‌ଘାଟିତ ହୋଇଯାଇଛି ା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍କୁଲ ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇ ଏହାର ଶୁଭାରମ୍ଭ କରିବା ସହିତ ପିଲାଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ କୃମିନାଶକ ବଟିକାର ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହା ଖାଇବା ସମ୍ପୂର୍ଣ୍ଣ ନିରାପଦ ବୋଲି କହିବା ସହ ସେ ନିଜେ ଏକ ବଟିକା ସେବନ କରିଥିଲେ।
ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ସମେତ ଅନ୍ୟାନ୍ୟ ଅଞ୍ଚଳରେ ୧ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯାଉଛି। ପିଲାମାନଙ୍କୁ ପୁଷ୍ଟିହୀନତା ଓ ରକ୍ତହୀନତାରୁ ଦୂରେଇ ରଖିବା ପାଇଁ ଏପରି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବାବେଳେ ଆଜି ଯେଉଁ ପିଲାମାନେ ବାଦ୍‌ ପଡ଼ିଯାଇଥିବେ ସେମାନଙ୍କୁ ଆସନ୍ତା ଫେବୃୟାରୀ ୧୭ ତାରିଖରେ କୃମିନାଶକ ଔଷଧ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ସହକାରୀ ଜିଲା ଚିକିତ୍ସାଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ, ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଡିପିଏମ ଅନୀଲ ମହାନ୍ତି, ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମମାଳା ମିଶ୍ର, ଜିଲା ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ନରେଶ ଚନ୍ଦ୍ର ଦାଶ, ସହକାରୀ ଜିଲା ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ରମଣୀକାନ୍ତ ଭଞ୍ଜ, ମିଶନ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ, ଡିଏମ-ଆରସିଏଚ ଏଲିନା ସାମଲ ଓ ଆଶା ମ୍ୟାନେଜର ସୂର୍ଯ୍ୟଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।