Categories: ଜାତୀୟ

ଛାତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅସଦାଚରଣ ମାମଲା: ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ

ଲକ୍ଷ୍ନୌ, ୨୯ା୮(ପି.ଟି.): ଉତ୍ତରପ୍ରଦେଶ(ୟୁପି)ର ଶାହଜାହାନ୍‌ପୁର ଜିଲାରେ ଜଣେ ଆଇନ ଛାତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଅସଦାଚରଣ କରିବା ନେଇ ଭିଡିଓ କ୍ଲିପ ସାମ୍ନାକୁ ଆସିବା ପରେ ରାଜନୀତି ଜୋର୍‌ ଧରିଛି। ୟୁପି ମହିଳା କମିଶନ ଅଧ୍ୟକ୍ଷା ବିମଳା ବାଥାମ୍‌ ଏ ସମ୍ପର୍କରେ ଶାହଜାହାନପୁର ଜିଲାପାଳ ଏବଂ ଏସ୍‌ପିଙ୍କୁ ରିପୋର୍ଟ ମାଗିଛନ୍ତି। ବିମଳା କହିଛନ୍ତି, ବରିଷ୍ଠ ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ମୁମୁକ୍ଷୁ ଆଶ୍ରମରେ ପାଠ ପଢୁଥିବା ନିଖୋଜ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯିବ । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଥାମ୍‌ କହିଛନ୍ତି। ପ୍ରକାଶଥାଉ କି, ନିଖୋଜ ଛାତ୍ରୀଙ୍କ ବାପା ଏନେଇ ଥାନାରେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଅପରପକ୍ଷରେ ଏଭଳି ଅଭିଯୋଗକୁ ଭାଜପା ଓ ଚିନ୍ମୟାନନ୍ଦଙ୍କ ଓକିଲ ଓମ୍‌ ସିଂ ଖଣ୍ଡନ କରିଛନ୍ତି।
ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଗତ ୨୩ ତାରିଖରେ ଭିଡିଓ ଭାଇରାଲ୍‌ ହେବା ସହ ଛାତ୍ରୀ ସାହାଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଲୋଡ଼ିଥିଲେ। ତାଙ୍କ ପାଖରେ ପ୍ରମାଣ ଥିବାରୁ ଚିନ୍ମୟାନନ୍ଦ ଛାତ୍ରୀ ଓ ତାଙ୍କ ପରିବାରକୁ ମାରିଦେବା ଲାଗି ଯୋଜନା କରୁଥିବା ଛାତ୍ରୀ ଭିଡିଓ କ୍ଲିପ୍‌ରେ ଦର୍ଶାଇଥିଲେ। ଏସମ୍ପର୍କରେ ପ୍ରିୟଙ୍କା ଟୁଇଟ୍‌ କରି ଭାଜପା ସରକାରକୁ ମହିଳା ସୁରକ୍ଷା ନେଇ ଅନେକ ପ୍ରଶ୍ନ କରିଛନ୍ତି।

Share