ଛାତ୍ରୀଙ୍କୁ ଯୌନ ନିର୍ଯାତନା: ଶିକ୍ଷକ ଅଟକ

ସୋର, ୨୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ନଦୀଗାଁ ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଛି। ସୋର ପୋଲିସ ଏକ ମାମଲା(ନଂ. ୫୭୬/୧୯) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଜଣେ ଶିକ୍ଷକ ଏବଂ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ବାସୁଦେବପୁର ଅଞ୍ଚଳର ଦୁଇ ଭଉଣୀ ଏହି ବିଦ୍ୟାଳୟରେ ପଢନ୍ତି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀଜଣକ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ଖବରପାଇ ତାଙ୍କ ମା’ ସେଠାରେ ପହଞ୍ଚି ଝିଅଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏଥିରେ ଜଣେ ଶିକ୍ଷକ ସମ୍ପୃକ୍ତ ଥିବା ଅନ୍ୟ ଭଉଣୀଜଣକ ମା’ ପାଖରେ କହିବା ପରେ ଛାତ୍ରୀଙ୍କ ବାପା ସୋର ଥାନାରେ ଅଭିଯୋଗ କରିଛନ୍ତି। ସୋର ପୋଲିସ କଟକ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।