ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା: ଶିକ୍ଷକଙ୍କ ପରେ ଦୁଇ ଖବରଦାତା ଗିରଫ

ବାଲିକୁଦା,୨୭ା୪(ସ୍ବ.ପ୍ର.): ଭିଡିଓ ଭାଇରାଲ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କୁ ଚାପ ପକାଉଥିବା ୨ ଖବରଦାତାଙ୍କୁ ବାଲିକୁଦା ପୋଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଏହି ଥାନା ଅଞ୍ଚଳର ବିପିନ ସେଠୀ ଓ ଦିଲୁ ମୁଦୁଲି। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଦଫା ୩୪୧, ୫୦୦, ୫୦୬, ୫୦୯, ୩୪ ଆଇପିସିରେ ମାମଲା (ନଂ-୯୬/୨୦) ରୁଜୁ କରିଛି।
ସୂଚନା ଅନୁସାରେ, ବାଲିକୁଦା ଥାନା ଅଞ୍ଚଳରେ ଥିବା ଡ୍ରିମ ଲ୍ୟାଣ୍ଡ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟର ମାଲିକ ସାଗର ମହାପାତ୍ର ଛାତ୍ରୀମାନଙ୍କ ଫଟୋ ଉଠାଇ ପରେ ତାହାକୁ ଅଶ୍ଳୀଳ ଏଡିଟିଂ କରି ଅନୈତିକ ସମ୍ପର୍କ ରଖୁଥିଲେ। ଯେଉଁମାନେ ତାଙ୍କ କଥାରେ ରାଜି ହେଉ ନ ଥିଲେ ସେ ତାଙ୍କୁ ଭିଡିଓ ଭାରାଇଲ କରିଦେବାର ଧମକ ଦେଉଥିଲେ। ଏନେଇ ଗତ ୨୨ ତାରିଖରେ ଜଣେ ଛାତ୍ରୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଘଟଣାରେ ତଦନ୍ତ କରି ୨୩ ତାରିଖରେ ମାମଲା ରୁଜୁ କରିଥିଲା। ତେବେ ଉକ୍ତ ଘଟଣାକୁ ରଫାଦଫା କରିବା ପାଇଁ ଏହି ଦୁଇ ଖବରଦାତା ଛାତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ଏପରି କି ୧୦ ହଜାର ଟଙ୍କା ନେଇ ଚୁପ୍‌ ରହିବାକୁ ବାଧ୍ୟ କରିଥିଲେ। ଏଥିସହିତ ନାନା ଧମକ ଦେଇଥିଲେ। ସମ୍ପୃକ୍ତ ଛାତ୍ରୀ ଏସବୁକୁ ଖାତିର କରି ନ ଥିଲେ। ପୋଲିସ ସାଗରଙ୍କୁ ୨୪ ତାରିଖରେ ଗିରଫ କରିବା ସହ ୨୫ରେ କୋର୍ଟ ଚାଲାଣ କରିଥିଲା। ତେବେ ଖବରଦାତାଙ୍କ କଥାକୁ ସମ୍ପୃକ୍ତ ଛାତ୍ରୀ ନ ମାନିବରୁ ତାଙ୍କ ଗାଁ ନାମରେ ଏମାନେ ଖବର ପରିବେଷଣ କରିଥିଲେ। ତେଣୁ ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ଛାତ୍ରୀ ୨୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଛାତ୍ରୀଙ୍କ ଅଭିଯୋଗକୁ ଦୁଇ ଖବରଦାତା ପୁଣି ଚାପ ପକାଇ ଏସଡିପିଓଙ୍କ ମାଧ୍ୟମରେ ସମାଧାନ କରିବା ପାଇଁ ରବିବାର ରାତିରେ ଥାନାରେ ପହଞ୍ଚି ଚେଷ୍ଟା କରିଥିଲେ। ଏଥିରେ ଛାତ୍ରୀ ଓ ତାଙ୍କ ପରିବାରର ସଦସ୍ୟ ରାଜି ହୋଇ ନ ଥିଲେ। ଶେଷରେ ପୋଲିସ ବାଧ୍ୟ ହୋଇ ୨ ଖବରଦାତାଙ୍କୁ ଗିରଫ କରିଥିଲା।

Share