ଛାତ୍ରୀଙ୍କ ମୃତ୍ୟୁ ନେଇ ଉତ୍ତେଜନା

କପ୍ତିପଦା,୩୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧିନସ୍ଥ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ଜଣକ ହେଲେ ଦଓ୍ବୋନବାହାଳୀ ପଞ୍ଚାୟତ ବିଷ୍ଣୁଗାଁର ଉଦୟ ଶିଙ୍କୁଙ୍କ ଝିଅ ଦୁର୍ଗାଦେବୀ(୧୬)। ଦୁର୍ଗା ଉକ୍ତ ବିଦ୍ୟାଳୟର ଛାତ୍ରୀ ନିବାସରେ ରହି ୧୦ମ ଶ୍ରେଣୀରେ ପଢୁଥିଲେ। ସେ ସୁସ୍ଥ ଥିବାବେଳେ ଗୋଟିଏ ସପ୍ତାହ ତଳେ ଘରକୁ ଆସି ହଷ୍ଟେଲ ଯାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଝିଅ ଅସୁସ୍ଥ ଥିବାର ଦର୍ଶାଇ ତାଙ୍କ ପିତାଙ୍କ ନିକଟକୁ ଖବର ଦେବାରୁ ଉଦଳାରେ ପ୍ରାଥମିକ ଚିକିିତ୍ସା କରି କଟକ ପଠାଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଏହାର ପ୍ରତିବାଦରେ କପ୍ତିପଦା- ଶରତ ରାସ୍ତାର ହଦଗୋଠ ଛକରେ ଅବରୋଧ କରିଛନ୍ତି। ଅଦ୍ୟାବଧି କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାବେଳେ ଉତ୍ତେଜନା ପ୍ରକାଶ ପାଇଛି।