ଛାତ୍ରୀଛାତ୍ରଙ୍କୁ ଜୀବନଗାଥା ଶୁଣାଇଲେ ଦିଲ୍ଲୀ ଶିଳ୍ପୀ

ପୁରୁଣା ଭୁବନେଶ୍ୱର,୨୪।୯(ଡି.ଏନ୍‌.ଏ): କଳାକୁ ଜୀବନ ଓ ଜୀବିକା କରି ଆଗକୁ ବଢିବା ପାଇଁ କେତେଜଣ ଶିଳ୍ପୀ ହିଁ ବ୍ରତ ବୋଲି ଭାବିଥାନ୍ତି। ସେହିପରି ଦିଲ୍ଲୀର ଶିଳ୍ପୀ ଶ୍ରବଣ ଚୌଧୁରୀ ସୋମବାର ଧଉଳି ଚାରୁକଳା ମହାବିଦ୍ୟାଳୟକୁ ଆସି ଛାତ୍ରୀଛାତ୍ର ଓ ଅଧ୍ୟାପିକା ଅଧ୍ୟାପକମାନଙ୍କ ସହ ବିଭିନ୍ନ ଶିଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। କୋଲକତା ସରକାରୀ ମହାବିଦ୍ୟାଳୟରୁ ନିଜ କଳା ଶିକ୍ଷା ଆରମ୍ଭ କରିଥିବା ସେରାମିକ୍ସ ଶିଳ୍ପୀ ଶ୍ରବଣ ନିଜ ଶିଳ୍ପରେ ଦକ୍ଷତା ପ୍ରତିପାଦିତ କରିବା ସହ ଏବେ ଦିଲ୍ଲୀଠାରେ ନିଜର କଳା ସାଧନା ଜାରି ରଖିଛନ୍ତି। ଭାରତର ବିଭିନ୍ନ ସହର ସହ ଜର୍ମାନୀ, ଜାପାନ ଓ ବାଂଲାଦେଶରେ ମଧ୍ୟ ବିଭିନ୍ନ ଆର୍ଟ ରେସିଡେନ୍ସିରେ ଅଂଶଗ୍ରହଣ କରି ନିଜର ସୃଜନଶୀଳ ଭାସ୍କର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ତାଙ୍କର ଜୀବନଶୈଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ସେ ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟ ତରଫରୁ ଶ୍ରୀ ଚୌଧୁରୀଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା। ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଶ୍ରବଣଙ୍କ କାର୍ଯ୍ୟ କରିବାର ଶୈଳୀ ସେରାମିକ୍ସ କ୍ଷେତ୍ରରେ ଏକ ଅଧ୍ୟୟନ ବୋଲି ଅଭିିହିତ କରିବା ସହିତ ଏଥିରୁ ଛାତ୍ରୀଛାତ୍ରମାନେ ଅନୁପ୍ରାଣିତ ହେବା ଉଚିତ୍‌ ବୋଲି କହିଥିଲେ। ଏହି ଅବସରରେ ଅଧ୍ୟାପକ ଚନ୍ଦନ କୁମାର ସାମଲ, ରାମ ଶଙ୍କର ସାହୁ, ଅଧ୍ୟାପିକା ସସ୍ମିତା କାମିଳା ଓ ମଧୁସ୍ମିତା ଦାସ ପ୍ରମୁଖ ଶିଳ୍ପୀଙ୍କ ଭାସ୍କର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

Share