ଛାତ୍ରୀଛାତ୍ରଙ୍କୁ ଜ୍ଞାନ ବାଣ୍ଟିଲେ ଜିଲାପାଳ, ଏସ୍‌ପି

ଛତ୍ରପୁର,୨ା୯(ଡି.ଏନ.ଏ.)-କଲେଜ ଛାତ୍ରୀଛାତ୍ର ସେମାନଙ୍କର କ୍ୟାରିୟର ଗଢ଼ିବା ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିଙ୍କଠାରୁ ଯେଭଳି ଜ୍ଞାନ ଆହରଣ କରିପାରିବେ ସେଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉପାୟ ଅବଲମ୍ବନ କରାଯାଇଛି ା ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ ନଲେଜ୍‌ ହବ୍‌ର ଶୁଭାରମ୍ଭ ହୋଇଛି। ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ ଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆଇଏଏସ ଓ ଆଇପିଏସ ଅଫିସର ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜ୍ଞାନ ପ୍ରଦାନ କରିଥିଲେ ା ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ତଥା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ୨୦୦୯ ଆଇପିଏସ୍‌ ଅଫିସର ତଥା ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଓ ୨୦୧୬ ବ୍ୟାଚ୍‌ର ଆଇଏଏସ ଅଫିସର ତଥା ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତାତ୍ରେୟ ଭାଉସାହେବ ଉପସ୍ଥିତ ଥିଲେ ା ଜିଲାପାଳ ତାଙ୍କ କ୍ୟାରିୟର ଓ ଚାକିରି ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ କହିଥିଲେ। କିଭଳି ସେ ପ୍ରଥମେ ପ୍ରାଥମିକ ଶିକ୍ଷକ ଭାବେ ଚାକିରି ଆରମ୍ଭ କରି ପରେ ସେଲ୍ସ ଟ୍ୟାକ୍ସ ଅଫିସର, ତହସିଲଦାର, ଆସିଷ୍ଟାଣ୍ଟ ସେଲ୍ସ ଟ୍ୟାକ୍ସ କମିଶନର ଏବଂ ବର୍ତ୍ତମାନ ଜିଲାପାଳ ଭାବେ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ ା ନିଜର ପାରିବାରିକ ସ୍ଥିତିକୁ ନ ଦେଖି କଠିନ ପରିଶ୍ରମ କରି ଆଗେଇଲେ ସମାଜରେ ନିଜର ସଫଳତା ପ୍ରଦର୍ଶନ କରିହେବ ବୋଲି ଜିଲାପାଳ କହିଥିଲେ ା ଏସ୍‌ପି ରଏ ତାଙ୍କ ନିର୍ଦ୍ଧିିଷ୍ଟ ଲକ୍ଷ୍ୟ ରଖି ସଫଳତା ପାଇଁ ଆଗେଇ ଚାଲିବାକୁ ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ ା ଡିଆରଡିଏ ପିଡି ସ୍ବାଇଁ ୫-ଟି ଉପରେ ବିସ୍ତୃତ ଭାବେ ଛାତ୍ରୀ ଛାତ୍ରଙ୍କୁ ବୁଝାଇବା ସହ ଏହାଦ୍ୱାରା ସଫଳତା ଆପେ ଆପେ ଆସିବ ବୋଲି କହିଥିଲେ ା ଛାତ୍ରୀଛାତ୍ର ମାନେ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଆଗକୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅଜର୍ନ କରିଥିବା ବ୍ୟକ୍ତିଙ୍କୁ ଡକାଯାଇ ଛାତ୍ରୀଛାତ୍ରଙ୍କୁ ଜ୍ଞାନ ଆହରଣର ସୁଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି ା

Share