ଛାତ୍ରୀଛାତ୍ରଙ୍କୁ ଟ୍ୟୁଶନ ଆବଶ୍ୟକ ପଡ଼ିବନି: ‘ମଧୁ ଆପ୍‌’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୪ା୧୨(ଡି.ଏନ.ଏ.)-ଛାତ୍ରୀଛାତ୍ରମାନେ ମୋବାଇଲ ଫୋନରେ ଯେଭଳି ପଢ଼ିବେ ଓ ବିଦ୍ୟାଳୟରେ ବୁଝି ପାରି ନ ଥିବା ପାଠକୁ ଶିକ୍ଷକ ପଢ଼ାଉଥିବା ଭିଡିଓ ଦେଖି ବୁଝିପାରିବେ ସେଥିନିମନ୍ତେ ପ୍ରସ୍ତୁତ ‘ମଧୁ ଆପ୍‌’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଆପ୍‌ ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାର ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲେ ା ‘ମଧୁ ଆପ୍‌’ ଭଲ ଲାଗିଲା କି’ ପଚାରିବା ସହ ଏହା ନିଶ୍ଚିତ ଭାବେ ଗୁଣାତ୍ମକ ଶିକ୍ଷାରେ ସହାୟକ ହେବ ବୋଲି କହିଥିଲେ। ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏହି ଆପ୍‌ ପ୍ରସ୍ତୁତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ା ସ୍କୁଲ ଛାତ୍ରୀଛାତ୍ରମାନଙ୍କ ଶିକ୍ଷାର ବିକାଶରେ ଏହା ସହାୟକ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ ା ଆଉ ଟ୍ୟୁଶନ ଆବଶ୍ୟକ ପଡ଼ିବନି ବୋଲି ଛତ୍ରପୁରସ୍ଥିତ ଅନସ୍ଲୋ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ଶତପଥୀ ଓ ନବମ ଶ୍ରେଣୀ ଛାତ୍ର ପଦ୍ମନାଭ ନନ୍ଦ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳପ ବେଳେ କହିଥିଲେ ା
ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ଭିଡିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ସମଗ୍ର ଶିକ୍ଷା ଅଭିଯାନର ଡିପିସି ବିନିତା ସେନାପତି, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀଙ୍କ ସମେତ ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀ ଶିକ୍ଷକମାନେ ଉପସ୍ଥିତ ଥିଲେ ା
ସୂଚନାଯୋଗ୍ୟ, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଧୁ ଆପ୍‌ ପ୍ରସ୍ତୁତ ହୋଇଛି। ଏହି ଆପ୍‌କୁ ଓଡିଆ ମାଧ୍ୟମ ଛାତ୍ରୀଛାତ୍ରମାନେ ମୋବାଇଲ ଫୋନରେ ଡାଉନଲୋଡ୍‌ କରି ଗଣତି, ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟ ଉପରେ ଥିବା ନିଜର ଦ୍ୱନ୍ଦ୍ୱ ଦୂର କରିପାରିବେ ା ପ୍ରତ୍ୟେକ ପାଠ୍ୟ ବିଷୟକୁ ଜିଲାର ଶିକ୍ଷୟିତ୍ରୀ, ଶିକ୍ଷକ ସରଳ ଭାବେ ବୁଝାଇଥିବା ଭିଡିଓ କରାଯାଇଛି ା ଉକ୍ତ ଭିଡିଓ ପ୍ରସ୍ତୁତି ନିମନ୍ତେ ଛତ୍ରପୁରରେ ରେକଡିଂ ସେଣ୍ଟର ପ୍ରତିଷ୍ଠା ହୋଇଛି ା

Share