ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯିବା ଘଟଣା: ଜିଲା ଷ୍ଟାଣ୍ଡିଂ କମିଟି ସୁପାରିସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଗୋପ, ୨୩।୧୧(ଡ.ଏନ୍‌.ଏ.): ପୁରୀ ଜିଲା ଷ୍ଟାଣ୍ଡିଂ କମିଟି ଗୋପ ବ୍ଲକ୍‌ର କେତେକ ସ୍କୁଲର ଗତ ୧୮ ତାରିଖରେ ଭିିତ୍ତିଭୂମି ଓ ମଧ୍ୟାହ୍ନ ଭୋଜନ ଯାଞ୍ଚ କରୁଥିବାବେଳେ ଗଣେଶ୍ୱରପୁର ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଜାଣିବାକୁ ପାଇଥିଲେ। ଫଳରେ କମିଟି ଏନେଇ ଅସନ୍ତୋଷ ବ୍ୟକ୍ତ କରି ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ। ମାତ୍ର ଏହି ଘଟଣାର ୬ ଦିନ ବିତିଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଜିଲା ଷ୍ଟାଣ୍ଡିଂ କମିଟିର ୭ ଜଣିଆ ଟିମ୍‌ ଧ୍ରୁବଚରଣ ଦାଶଙ୍କ ନେତୃତ୍ୱରେ ଗୋପ ବ୍ଲକ୍‌ର ୧୦ଟି ସ୍କୁଲ ବୁଲି ବିଭିନ୍ନ ସ୍କୁଲର ଭିତ୍ତିଭୂମି, କାଗଜପତ୍ର ଓ ମଧ୍ୟାହ୍ନ ଭୋଜନ କିପରି ଚାଲିଛି ଦେଖିଥିଲେ। ଏହି ଗସ୍ତ ସମୟରେ ବନ୍ତଳୀଗ୍ରାମ ଉଚ୍ଚ ବିଦ୍ୟାଳୟରେ ସ୍କୁଲ କର୍ତ୍ତୃପକ୍ଷ ଏହି କମିଟିକୁ ସ୍କୁଲର ନଥିପତ୍ର ଦେଖାଇପାରି ନ ଥିଲେ। ପରେ ଷ୍ଟାଣ୍ଡିଂ କମିଟି ଗଣେଶ୍ୱରପୁର ସ୍କୁଲରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଦେଖିବା ସହ ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଥିଲେ। କିନ୍ତୁ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଷ୍ଟାଣ୍ଡିଂ କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହ ୨୪ ଘଣ୍ଟା ମଧ୍ୟରେ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଗୋପ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟତଃ ମନିଟରିଂ ଅଭାବକୁ ଦାୟୀ କରିଥିବାବେଳେ ନିଶ୍ଚିତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହୋଇଛି। ସେହିପରି ବ୍ଲକ୍‌ର ବିଭିନ୍ନ ସ୍କୁଲରେ ଏବେବି ମଧ୍ୟାହ୍ନ ଭୋଜନ ବଦଳରେ ବିସ୍କୁଟ, ଅଣ୍ଡା ତରକାରୀ ବଦଳରେ ଅଣ୍ଡା ଭୁଜିଆ ଦିଆଯାଉଥିବା ଅଭିଯୋଗ ରହିଛି। ଏହି ଅଭିଯୋଗକୁ ନେଇ ଷ୍ଟାଣ୍ଡିଂ କମିଟିର ସଭ୍ୟ ଦାଶଙ୍କୁ ପଚାରିବାରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଜିଲା ପ୍ରଶାସନ ନେବ ବୋଲି ସେ କହିଥିଲେ।